ରାତିରେ ରାସ୍ତା କାମ

ଭାପୁର,୨୮।୮(ଭରତ କୁମାର ବେହେରା): ଗତ କିଛି ବର୍ଷ ହେବ ଦୁର୍ନୀତିକୁ ନେଇ ଭାପୁର ବ୍ଲକ ସମଗ୍ର ରାଜ୍ୟରେ ଚର୍ଚ୍ଚାରେ ଥିବାବେଳେ ଏବେ ନିମ୍ନମାନର କାମ ପୁଣିଥରେ ସାମ୍‌ନାକୁ ଆସିଛି ା ପୂର୍ବରୁ ଏକାଧିକ ରାସ୍ତା, ଗୋଟିଏ ରାସ୍ତାକୁ ୨୧ଥର ବିଲ୍‌ କରିବା,କୂଅ, ପୋଖରୀକୁ ନେଇ ମିଛ ବିଲ୍‌ ହେଇଥିବା ଘଟଣା ମନରୁ ନ ଲିଭୁଣୁ ଏବେ ନିମ୍ନମାନର କାମ ନୂଆ ଟ୍ରେଣ୍ଡ ପାଲଟିଛି।
ସୂଚନା ଅନୁଯାୟୀ, ଭାପୁର ବ୍ଲକ ଅନ୍ତର୍ଗତ ବାଇଗୁଣିଆ ପଞ୍ଚାୟତ ବୋରଗାଁଠାରୁ ଭାୟା ବାଘୁଆପଲ୍ଲୀ ରାସ୍ତାରେ ନିମ୍ନମାନର କାମ ଯୋଗୁ ଜନଅସନ୍ତୋଷ ପ୍ରକାଶ ପାଇଛି। ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁ କାମ ନିମ୍ନମାନର ହେଉଛି। ପ୍ରାୟ ୫ କିମି ରାସ୍ତା ନିର୍ମାଣକୁ ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଥିବା ବେଳେ କାମ ଶେଷ ହୋଇ ନ ପାରିବା ଗ୍ରାମ୍ୟ ଉନ୍ନୟନ ବିଭାଗର ପାରିବାପଣିଆକୁ ପଦାରେ ପକାଇଛି। ଏହି କାମ ୨୦୨୧ରୁ ଆରମ୍ଭ ହୋଇ ୨୦୨୨ରେ ସାରିବା ପାଇଁ ଫଳକରେ ଉଲ୍ଲେଖ ଅଛି। ହେଲେ ଅବଧି ସରିଥିଲେ ମଧ୍ୟ ରାସ୍ତା କାମ ସରିନାହିଁ। ଶୁକ୍ରବାର ରାତିରେ ଭଗବାନପୁର ଗ୍ରାମରେ ପ୍ରାୟ ୨୦ ଫୁଟରୁ ଊର୍ଦ୍ଧ୍ୱ ଲମ୍ବର କଲଭର୍ଟ ନିର୍ମାଣ ଚାଲିଥିବା ବେଳେ ତାହା ହଠାତ୍‌ ଭୁଶୁଡି ପଡିଥିଲା। ଏ ନେଇ ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ କାମ କରୁଥିବା ସାନପଦର ଅଞ୍ଚଳର ଠିକାଦାର ଶିବ ପ୍ରସାଦ ଖଣ୍ଡା ଘଟଣାସ୍ଥଳରୁ କୁଆଡ଼େ ଚାଲି ଯାଇଥିଲେ ା ଘଟଣା ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ କେଶ ଚନ୍ଦ୍ର ସୁବୁଦ୍ଧିଙ୍କୁ ପଚାରିବାରେ ତାଙ୍କର ଓ ଏସ୍‌ଡିଓଙ୍କ ଅଗୋଚରେ ରାତିରେ କାମ ହୋଇଥିବା ସଫେଇ ଦେଇଥିଲେ । ଠିକାଦାର କାହାକୁ କିଛି ନ ଜଣାଇ ରାତି ସାଢ଼େ ସାତଟା ସମୟରେ କଲଭର୍ଟ କାମ ମିସ୍ତ୍ରିକୁ ନେଇ କରୁଥିଲେ। ସେ ନିମ୍ନମାନର କାମ ହେଉ ନ ଥିବା ସଫେଇ ଦେଇଥିବା ବେଳେ ଗ୍ରାମବାସୀଙ୍କଠାରୁ କିନ୍ତୁ ଭିନ୍ନ ତଥ୍ୟ ମିଳିଛି। ଗତ ପ୍ରାୟ ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ରାସ୍ତା କାମ ସରୁ ନ ଥିବା ବେଳେ କନିଷ୍ଠ ଯନ୍ତ୍ରୀ କିନ୍ତୁ ବେପରୁଆ ମନ୍ତବ୍ୟ ଦେବା ଶୋଭା ପାଉ ନ ଥିବା କହିଛନ୍ତି ସ୍ଥାନୀୟ ଜନପ୍ରତିନିଧି। ସରକାରୀ ନିୟମ ତଥା ଏଷ୍ଟିମେଟ ବାହାରେ କାମ ହେଉଥିବା ଯୋଗୁ ବିଭିନ୍ନ ଅଘଟଣ ଘଟୁଛି ା ଏଥିପାଇଁ କନିଷ୍ଠ ଯନ୍ତ୍ରୀ ଦାୟୀ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଅନ୍ୟପକ୍ଷେ ଶୁକ୍ରବାର ଘଟଣା ପରେ ଉକ୍ତ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ା ଘଟଣା ସମ୍ପର୍କରେ ମାପିଚୁପି ମନ୍ତବ୍ୟ ଦେଉଛି ଗ୍ରାମ୍ୟ ଉନ୍ନୟନ ବିଭାଗ। ଘଟଣାସ୍ଥଳରେ ଏସ୍‌ଡିଓ ଜୟନ୍ତୀ ପଣ୍ଡା ପହଞ୍ଚି ତଦାରଖ କରିଛନ୍ତି । ଏସ୍‌ଡିଓ ପଣ୍ଡା, ନିର୍ବାହୀ ଯନ୍ତ୍ରୀ ହୃଷୀକେଶ ବରାଳ, ଗ୍ରାମ ଉନ୍ନୟନ କନିଷ୍ଠ ଯନ୍ତ୍ରୀ କେଶ ଚନ୍ଦ୍ର ସୁବୁଦ୍ଧିଙ୍କ ଉପସ୍ଥିତିରେ ଶନିବାର ଭାଙ୍ଗି ଯାଇଥିବା କଲଭର୍ଟକୁ ସମ୍ପୂୂର୍ଣ୍ଣ ଭାଙ୍ଗି ସଫା କରାଯାଇଛି। କଲଭର୍ଟ ଭୁଶୁଡ଼ି ପଡ଼ିବା କାରଣ ଉପରେ ଅନୁଧ୍ୟାନ କରି ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।