ଈଶାଣପୁର ଗାଁକୁ ରାସ୍ତା ବନ୍ଦ

ବୈଶିଙ୍ଗା,୫ା୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଉପକଣ୍ଠ ଯୁଗପୁରା ରେଳ ଷ୍ଟେଶନଠାରୁ ମାତ୍ର ୫୦୦ ମିଟର ଦୂରରେ ଥିବା ଈଶାଣପୁର ଗାଁକୁ ସଂଯୋଗ କରୁଥିବା ରାସ୍ତାକୁ ରେଲଓ୍ବେ ପକ୍ଷରୁ ବନ୍ଦ କରି ଦିଆଯାଇଛି। ଫଳରେ ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଲୋକେ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।
ରାସ୍ତା ବନ୍ଦ ପରେ ଗ୍ରାମବାସୀ ନିଜସ୍ବ ଅର୍ଥରେ ୩୦୦ ମିଟର ଦୂରରେ ଥିବା ଛତର ରେଳ ଫାଟକ ପର୍ଯ୍ୟନ୍ତ ରେଳ ଲାଇନ ପାଶର୍‌ବରେ ମାଟି ରାସ୍ତା ତିଆରି କରି ଚଳପ୍ରଚଳ କରୁଛନ୍ତି। ମାତ୍ର ଏହାକୁ ରେଳ ଅଧିକାରୀମାନେ ବେଆଇନ ଦର୍ଶାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଧମକ ଚମକ ଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ରାସ୍ତା ନ ଥିବାର ଗଁା ଭିତରକୁ କୌଣସି ଗାଡ଼ି ମୋଟର ଚଳାଚଳ କରି ପାରୁନାହିଁ। ଏମିତିକି ଜରୁରୀକାଳୀନ ସ୍ଥିତିରେ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡ଼ି ମଧ୍ୟ ଯାଇ ପାରୁନାହିଁ। ଏ ସମ୍ପର୍କରେ ବହୁବାର ରେଲଓ୍ବେ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ରେଳରୋକ କରାଯିବା ନେଇ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଥିଲା। ଶେଷରେ ମୟୂରଭଞ୍ଜ ଏମ୍‌ପି ତଥା କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଏବଂ ବାଲେଶ୍ବର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ହସ୍ତକ୍ଷେପ ପରେ ରେଲଓ୍ବେ ଡିଆର୍‌ଏମ୍‌ ସମ୍ପୃକ୍ତ ଗ୍ରାମ ପରିଦର୍ଶନ କରି ତୁରନ୍ତ ଏଠାରେ ଏକ ଅଣ୍ଡର୍‌ ପାସ ରାସ୍ତା ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଗସ୍ତ ସମୟରେ ରେଳ ଅଧିକାରୀଙ୍କ ସହ ଏମ୍‌ପି ଷଡ଼ଙ୍ଗୀ, ଯୁଗପୁରା ଷ୍ଟେଶନ ସୁରକ୍ଷା କମିଟିର ଅଶ୍ବିନୀ କୁମାର ମହାରଣା , ଗିରିଶ ଚନ୍ଦ୍ର ରାଉତ, ରତିକାନ୍ତ ମହାନ୍ତଙ୍କ ସମେତ ବହୁସଂଖ୍ୟକ ମହିଳା ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ତେବେ ଇତି ମଧ୍ୟରେ ୬ ମାସ ବିତିଯାଇଥିଲେ ମଧ୍ୟ ଅଣ୍ଡର ପାସ୍‌ ପାଇଁ ଅର୍ଥ ମଞ୍ଜୁରୀ ମିଳିନାହିଁ କିମ୍ବା କାର୍ଯ୍ୟ ଆରମ୍ଭ ହୋଇ ନ ଥିବାରୁ ଅସନ୍ତୋଷ ବଢ଼ି ଚାଲିଛି।