ରୋଡ୍‌ ଶୋ’, ବାଇକ୍‌ ରାଲି ଉପରେ କଟକଣା

ପୁରୀ ଅଫିସ, ୭।୯: ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସୋମବାର ପୁରୀ ଜିଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପ୍ରଦକ୍ଷିଣ ଗୃହ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ପ୍ରାର୍ଥୀ ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ବୈଠକରେ ଜିଲାପାଳ କହିଛନ୍ତି, ଗତ ୪ ତାରିଖ ଠାରୁ ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରଠୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଆସନ୍ତା ୩୦ରେ ମତଦାନ, ଅକ୍ଟୋବର ୩ରେ ଭୋଟ ଗଣତି ଓ ୫ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ। ଆସନ୍ତା ୨୦ ତାରିଖରୁ ନିର୍ବାଚନ ପ୍ରଚାର ଆରମ୍ଭ ହୋଇ ୨୮ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ।
ଇନ୍‌ଡୋର ବୈଠକରେ ହଲ୍‌ କ୍ଷମତାର ୩୦ ପ୍ରତିଶତ ଅଥବା ସର୍ବାଧିକ ୨ଶହ ଲୋକଙ୍କୁ ଏକାଠି ହେବାର ଅନୁମତି ରହିଛି। ଇନ୍‌ଡୋର ହଲ୍‌ କ୍ଷମତାର ୩୦ ପ୍ରତିଶତରୁ ଅଧିକ ହେଲେ ବି ୨ଶହରୁ ଅଧିକ ଲୋକଙ୍କୁ ଅନୁମତି ମିଳିବ ନାହିଁ। ୨ଶହ ବ୍ୟକ୍ତିଙ୍କ ମଧ୍ୟରେ ରାଜନୈତିକ ବୈଠକ ସୀମିତ ରଖିବାକୁ ବାଧ୍ୟ। ଦଳଗୁଡ଼ିକ ଇନ୍‌ଡୋର ବୈଠକରେ ଯୋଗଦେଉଥିବା ବ୍ୟକ୍ତିଙ୍କ ନାମ ତାଲିକା ପ୍ରସ୍ତୁତ କରିବେ। ଯାହାଦ୍ୱାରା ସରକାରୀ ନିୟମ କଡ଼ାକଡ଼ି ଭାବେ ପାଳନ ହେଉଥିବା ନେଇ ଲୋକେ ଆଶ୍ୱସ୍ତ ହେବେ। ତାରକା ପ୍ରଚାରକଙ୍କ ସହ ସର୍ବାଧିକ ୧ ହଜାର ବ୍ୟକ୍ତି ବସିବା ଭଳି ବ୍ୟବସ୍ଥା କରାଯାଇ ପାରିବ। ବୈଠକ କ୍ଷମତାର ୫୦ ପ୍ରତିଶତ ଲୋକଙ୍କ ସଂଖ୍ୟା ୧ ହଜାରରୁ ଉର୍ଦ୍ଧ୍ୱ ହେଲେ ସମ୍ପୃକ୍ତ ରାଜନୈତିକ ଦଳ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜାତୀୟ ଓ ଆଞ୍ଚଳିକ ଦଳ ପାଇଁ ତାରକା ପ୍ରଚାରକ ୨୦ ଏବଂ ଅଣପଞ୍ଜୀକୃତ ଦଳ ପାଇଁ ୧୦ ଜଣ ରହିପାରିବେ। ଘରକୁ ଘର ବୁଲି ସର୍ବାଧିକ ୫ଜଣ ବ୍ୟକ୍ତି ଏକକାଳୀନ ଭାବେ ପ୍ରଚାର କରିପାରିବେ। ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ପର୍କିତ ଅଭିଯୋଗ ପାଇଁ ଜିଲା ପ୍ରଶାସନ ଟୋଲ୍‌ ଫ୍ରି ନମ୍ବର ୧୯୫୦ ଜାରି କରିଛି। ବାଇକ ଓ ସାଇକେଲ ରାଲି, ରୋଡ୍‌ ଶୋ’ ଭଳି ଆୟୋଜନ ଉପରେ କଟକଣା ଜାରି କରାଯାଇଛି। ପ୍ରଚାର ବେଳେ ସର୍ବାଧିକ ୨୦ଟି ବାଇକ୍‌ ବ୍ୟବହାର ହୋଇପାରିବ। ରାଜନୈତିକ ଦଳର ବୈଠକ ଓ ପ୍ରଚାର ସମୟରେ କୋଭିଡ୍‌ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଜିଲାପାଳ ଅନୁରୋଧ କରିଛନ୍ତି। ନିର୍ବାଚନ ଦାୟିତ୍ୱରେ ଥିବା ସମସ୍ତ କର୍ମଚାରୀଙ୍କ ପାଇଁ କୋଭିଡ୍‌ ଡବଲ୍‌ ଡୋଜ୍‌ ଟିକା ନେବା ବାଧ୍ୟତାମୂଳକ କରାଯାଇଛି। ପୋଲିଂ ଏଜେଣ୍ଟମାନେ ମଧ୍ୟ ଡବଲ୍‌ ଡୋଜ୍‌ ଟିକା ନେଇଥିବା ଆବଶ୍ୟକ। ମୋଟ ୩୪୮ଟି ପୋଲିଂ ଷ୍ଟେଶନରେ ଜଣେ ଲେଖାଏ ସ୍ବାସ୍ଥ୍ୟକର୍ମୀଙ୍କୁ କୋଭିଡ୍‌ ନୋଡାଲ୍‌ ଅଫିସର ଭାବେ ନିଯୁକ୍ତ କରାଯିବ। ଚଳିତ ଉପନିର୍ବାଚନରେ ୧୦ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ୨ ଲକ୍ଷ ୨୯ ହଜାର ୯୯୮ ଭୋଟର ମତଦାନ କରିବେ। ୩୨୧ ଜଣ ଚାକିରିଆ ଭୋଟର ମତ ଦେବେ। ୮୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି, ଦିବ୍ୟାଙ୍ଗ, କୋଭିଡ୍‌ ସଂକ୍ରମିତ ହୋଇଥିବା ୧୦୭୭ ଜଣଙ୍କ ମତ ଗ୍ରହଣ ସରିଛି। ପୋଷ୍ଟାଲ ବାଲଟ୍‌ ଯୋଗେ ୧୩୮ ଜଣ ମତଦାନ କରିଛନ୍ତି। ମୋଟ ୩୪୮ ବୁଥ୍‌ ମଧ୍ୟରୁ ୧୫ଟିକୁ ମଡେଲ୍‌ ବୁଥ୍‌ ଭାବେ ବିକଶିତ କରାଯାଇଛି। ୧୦୨ଟି ଅତିସମ୍ବେଦନଶୀଳ ଓ ୭୩ଟି ସମ୍ବେଦନଶୀଳ ବୁଥ୍‌ ଚିହ୍ନଟ ହୋଇଛି। ଦିବ୍ୟାଙ୍ଗଙ୍କ ପାଇଁ ସବୁ ବୁଥରେ ବ୍ୟବସ୍ଥା ହୋଇଛି। ବୁଥ୍‌ଗୁଡ଼ିକରେ ସାନିଟାଇଜର ଓ ହ୍ୟାଣ୍ଡଗ୍ଲୋବ୍ସ ବ୍ୟବସ୍ଥା କରାଯାଇଛି। ୫୨୨ଟି ଭିଭିପାଟ୍‌ ମେଶିିନ କାର୍ଯ୍ୟକ୍ଷମ ହେବ। ବଳକା ୯୩୯ ଭୋଟରଙ୍କ ପାଖରେ ଜିଲା ପ୍ରଶାସନର ୭ଟି ଟିମ୍‌ ପହଞ୍ଚି ମତ ଗ୍ରହଣ କରିବ। ସମ୍ବେଦନଶୀଳ ବୁଥ୍‌ ଗୁଡ଼ିକରେ ମାଇକ୍ରୋ ଅବଜର୍ଭର, ଭିଡିଓଗ୍ରାଫି ଟିମ୍‌, ୧୭୪୦ ଜଣ ପୋଲିଂ କର୍ମକର୍ତ୍ତା, ୨୩ ଜଣ ନିର୍ବାଚନ ନୋଡାଲ୍‌ ଅଫିସରଙ୍କ ସମେତ ଅନ୍ୟ କର୍ମଚାରୀ ଦାୟିତ୍ୱରେ ରହିବେ।