ଏତଲା ପରେ ରାସ୍ତା ମରାମତି କାମ

ଦେବଗଡ଼,୧୧।୧୦(ଡି.ଏନ୍‌.ଏ.):ପୂର୍ତ୍ତ ବିଭାଗ (ରାସ୍ତା ଓ ସୌଧ) କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଓ ଅଦୂରଦର୍ଶୀତା ଯୋଗୁ ଦେବଗଡ ଜିଲା ଦେଇ ଯାଇଥିବା ରାଞ୍ଚି-ବିଜୟୱାଡା କରିଡର ରାସ୍ତାର ବିଭିନ୍ନ ସ୍ଥାନରେ ବଡବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ ରାସ୍ତା ମରଣଯନ୍ତା ସାଜିଛି। ବିଶେଷ ଭାବେ ଦେବଗଡ଼ରୁ ସୁଗୁଡା ମଧ୍ୟରେ ଏକାଧିକ ଗର୍ତ୍ତ ସୃଷ୍ଟି ହୋଇଥିବାବେଳେ ଏହା ଦ୍ୱାରା ପ୍ରତ୍ୟହ ଛୋଟବଡ ଦୁର୍ଘଟଣା ଘଟିବା ସହ ବହୁ ଧନଜୀବନ ହାନୀ ଘଟୁଛି। ଏନେଇ ଜନସାଧାରଣ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଗୁହାରୀ କଲେ ମଧ୍ୟ କର୍ତ୍ତୃପକ୍ଷ ନୀରବଦ୍ରଷ୍ଟା ସାଜିଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଏହି କ୍ରମରେ ରବିବାର ପୂର୍ବତନ ଜିଲା କଂଗ୍ରେସ ସଭାପତି ତଥା ଜିଲା କୃଷକ ସଂଘର୍ଷ ସଂଘର ସଭାପତି ସେମ ହେମ୍ରମ ଏଥିପାଇଁ ଦେବଗଡ଼ ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ଦୁବରାଜ ହେମ୍ରମ, ସହକାରୀ ନିର୍ବାହୀ ଯନ୍ତ୍ରୀ ଚିତ୍ତରଞ୍ଜନ ନାୟକ ଓ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ସାହୁଙ୍କ ଅବହେଳା ଓ ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି। ଏଥିସହ ସେମାନଙ୍କ ବିରୋଧରେ ଦେବଗଡ଼ ଥାନାରେ ଲିଖିତ ଏତଲା ଦେଇଥିବା ଜଣାପଡିଛି। ଏତଲା ଦେବା ପରେ ବିଭାଗ ପକ୍ଷରୁ ସୋମବାର କାମ ଆରମ୍ଭ କରାଯାଇଛି। ବିଭାଗ ପକ୍ଷରୁ ଜେସିବି ଦ୍ୱାରା ରାସ୍ତା ମରାମତି କରାଯାଉଥିବା ଦେଖିବାକୁ ମିଳିଛି। ପୂର୍ବତନ ଜିଲା କଂଗ୍ରେସ ସଭାପତି ହେମ୍ରମ ଦେବଗଡ ଆଦର୍ଶ ଥାନାକୁ ରବିବାର ଯାଇ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ନାୟକଙ୍କୁ ସାକ୍ଷାତ କରିଥିଲେ। ଏହା ସହ ଉପରୋକ୍ତ ଯନ୍ତ୍ରୀମାନଙ୍କ ବିରୋଧରେ ଆଇପିସିର ଧାରା ୧୨୦ରେ ମାମଲା ରୁଜୁକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତାଙ୍କ ଏତଲାରେ ଲିଖିତ ଭାବେ ଦାବି ଜଣାଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ଗତ ୫ ତାରିଖ ହେମ୍ରମ ନିଜେ ତାଙ୍କ କାରରେ ଉକ୍ତ ରାସ୍ତାରେ ଯାଉଥିବା ବେଳେ ଉକ୍ତ କାରଟି ଏକ ବଡ ଗର୍ତ୍ତରେ ପଡିଯାଇଥିବା ଦର୍ଶାଇବା ସହ ସେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିବା ତାଙ୍କ ଏତଲାରେ ଦର୍ଶାଇଛନ୍ତି।