
ଥୁଆମୂଳ ରାମପୁର,୯ା୫ (ଦୁର୍ଗା କୀର୍ତ୍ତି)- ଥୁଆମୂଳ ରାମପୁର ବ୍ଲକ କଳାହାଣ୍ଡି ଜିଲାର ଦୁର୍ଗମ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ। ଏଠାରେ ଅଧିକାଂଶ ଗ୍ରାମକୁ ସବୁଦିନିଆ ରାସ୍ତା ନାହିଁ। ଫଳରେ ଅନେକ ସମୟରେ ଗର୍ଭବତୀ କିମ୍ବା ଗୁରୁତର ରୋଗୀଙ୍କୁ ଖଟିଆରେ ବୁହାଯାଉଛି। ଏଭଳି ଘଟଣା ଏବେ ନିତିଦିନିଆ ପାଲଟିଛି। ବ୍ଲକ ଅନ୍ତର୍ଗତ ସିନ୍ଧିପଦର ଗ୍ରାମପଞ୍ଚାୟତ କାଞ୍ଜିଗୁଡ଼ା ଗ୍ରାମରୁ ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି। ରାସ୍ତା ସମସ୍ୟା ଯୋଗୁ ଗ୍ରାମର ଡିକାହା ମାଝୀଙ୍କ ପୁଅ ମହେଶ ମାଝୀ (୧୮)ଙ୍କୁ ଚିକିତ୍ସା ପାଇଁ ୭କି.ମି. ଦୂର ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ପଡିଛି। ସୂଚନା ଅନୁସାରେ କନ୍ଦାଗୁଡା ଗାଁରେ ବଡ ବୋଲେନ ପର୍ବ ହେଉଥିବା ବେଳେ ମହେଶ ନିଜ ପରିବାର ପ୍ରତିପୋଷଣ ପାଇଁ ଏକ ଛୋଟ ଦୋକାନ ନେଇ ସେଠାକୁ ଯାଇଥିଲେ। ସେଠାରୁ ଫେରୁଥିବା ସମୟରେ ଏକ ଦୁର୍ଘଟଣାରେ ତାଙ୍କ ଗୋଡ଼ ଭାଙ୍ଗିଯାଇଥିଲା। ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ ଆବୁଡାଖାବଡା ରାସ୍ତାରେ ଗାଡି ଆସିପାରି ନ ଥିଲା। ଶେଷରେ ତାଙ୍କୁ ଖଟିଆରେ କନ୍ଦାଗୁଡାଠାରୁ ସମାପଲା ପର୍ଯ୍ୟନ୍ତ ପ୍ରାୟ ୭ କି.ମି. ନିଆଯାଇଥିଲା। ସେଠାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପରେ ଅଧିକ ଚିକିତ୍ସା ପାଇଁ ସେଠାରୁ ତାଙ୍କୁ ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।