ପଟ୍ଟାଙ୍ଗି,୧୨।୯(ଶରତ କୁମାର ଧଳ): ପ୍ରତ୍ୟେକ ଗ୍ରାମରେ ପହଞ୍ଚିବ ରାସ୍ତା, ଆଉ କୌଣସି ସମସ୍ୟାର ସମ୍ମୁଖିନ ହେବେନି ଗ୍ରାମବାସୀ । ଏହି ନାରା ଦେଇ ଚାଲିଛନ୍ତି ସରକାରୀ ଦଳ ଠାରୁ ଆରମ୍ଭ କରି ନିର୍ବାଚିତ ଜନପ୍ରତିନିଧି ଏବଂ ପ୍ରଶାସନ। କିନ୍ତୁ ନାରା ନାରାରେ ହିଁ ରହିଯାଇଛି ଗ୍ରାମବାସୀଙ୍କ ସମସ୍ୟା ସମାଧାନ ହେଉନାହିଁ ନିଜ ଭାଗ୍ୟକୁ ଆଦରି ଘଞ୍ଚ ଜଙ୍ଗଲ ପାହାଡ଼ ଘେରା ଭିତରେ ପଡି ରହିଛନ୍ତି ଓଡ଼ିଶାର ଦୁଇ ଗ୍ରାମ।
ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲାର ପଟ୍ଟାଙ୍ଗି ବ୍ଲକ ଅଧିନରେ ରହିଥିବା ସୁଙ୍କି ପଞ୍ଚାୟତର ଆନ୍ଧ୍ର ସୀମାକୁ ଲାଗି ରହିଥିବା ଓଡ଼ିଶାର ବାନ୍ଧା ଏବଂ ଝାଙ୍ଗରଗୁଡା ଦୁଇ ଗ୍ରାମରେ।
ସୂଚନା ଅନୁଯାୟୀ, ଉକ୍ତ ଦୁଇ ଗ୍ରାମ ମଧ୍ୟରୁ ଝାଙ୍ଗରଗୁଡା ଗ୍ରାମର ଜଣେ ମହିଳା ଗତ କିଛିଦିନ ହେଲା ଅସୁସ୍ଥ ହୋଇ ଘରେ ପଡି ଥିବା ବେଳେ ଗ୍ରାମକୁ କୌଣସି ଗାଡ଼ି ପହଞ୍ଚି ପାରିନଥିବାରୁ ଶେଷରେ ଗ୍ରାମରୁ ପ୍ରାୟ ୧୦ କିଲୋମିଟର ଭାରରେ ବୋହି ମୁଖ୍ୟ ରାସ୍ତାରେ ପହଞ୍ଚି ସେଠାରୁ ଏକ ଅଟୋ ଯୋଗେ ପଡୋଶୀ ଆନ୍ଧ୍ର ରାଜ୍ୟ ସାଲୁର୍କୁ ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଇଛନ୍ତି।
ସେପଟେ ଦେଖିବାକୁ ଗଲେ ଗ୍ରାମରେ ବସବାସ କରୁଥିବା ପରିବାର ବର୍ଗ ଆଦିବାସୀ ସମ୍ପ୍ରଦାୟର ହୋଇଥିଲେ ମଧ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଏମାନଙ୍କ ପାଇଁ ସ୍ବପ୍ନ ହୋଇ ରହିଯାଇଛି । ଯାହାକି ଖଣ୍ଡିଏ ରାସ୍ତା ପାଇଁ ସ୍ଥାନୀୟ ପ୍ରଶାସନକୁ ଗୁହାରୀ କରି କୌଣସି ସୁଫଳ ନ ମିଳିବାରୁ ଶେଷରେ ନିଜ ଭାଗ୍ୟକୁ ଆଦରି ସମସ୍ୟା ଘେରରେ ପଡି ରହିବା ସହ ଜୀବନ ଯାପାନ କରୁଛନ୍ତି।