ରାସ୍ତା, ନେଟୱର୍କ ସମସ୍ୟା ପର୍ଯ୍ୟଟକଙ୍କୁ କରୁଛି ନିରାଶ

ଭବାନୀପାଟଣା,୨୮।୧୦(ଉତ୍ତମ କୁମାର ଦାଶ): ପ୍ରାକୃତିକ ଶୋଭାର ଗନ୍ତାଘର କଳାହାଣ୍ଡି। ଜିଲାରେ ଅନେକ ପର୍ଯ୍ୟଟନସ୍ଥଳୀ, ଜଳ ପ୍ରପାତ ରହିଛି। ସେଥିମଧ୍ୟରୁ ରାବଣଧର ଜଳପ୍ରପାତ ଅନ୍ୟତମ। ଭବାନୀପାଟଣା ମୁଖ୍ୟାଳୟରୁ ୧୧ କି.ମି. ଦୂର ଲାଞ୍ଜିଗଡ଼ ବ୍ଲକ ଭଟାଙ୍ଗପଦର ପଞ୍ଚାୟତରେ ରହିଛି ରାବଣଦର ଜଳପ୍ରପାତ। ବର୍ଷା ଋତୁକୁ ଛାଡି ବର୍ଷତମାମ ଏଠାରେ ପର୍ଯ୍ୟଟକ ଆସିଥାନ୍ତି। ବିଶେଷ କରି ନଭେମ୍ବରଠାରୁ ଜାନୁୟାରୀ ଶେଷ ଯାଏଁ ଏଠାରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଥାଏ।

ଜଳ ପ୍ରପାତରେ ପ୍ରାୟ ୨୦ରୁ ୨୫ ଫୁଟ୍‌ ଉଚ୍ଚ ପାହାଡରୁ ତଳକୁ ପାଣି ପଡିଥାଏ। ସେହିପରି ଜଳ ପ୍ରପାତ ମଧ୍ୟରେ ଭଗବାନ ଶିବଙ୍କ ଏକ ପୂର୍ତ୍ତିମୂତ୍ତି ମଧ୍ୟ ନିର୍ମାଣ କରାଯାଇଛି। ଯାହା ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରୁଛି। ପୂର୍ବରୁ ଏହି ଜଳ ପ୍ରପାତର ଉନ୍ନତକରଣ କାର୍ଯ୍ୟ କରାଯାଇ ନ ଥିବାରୁ ଏହା ପ୍ରାୟ ଲୋକ ଲୋଚନକୁ ଆସି ନ ଥିଲା। ତେବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠି ପକ୍ଷରୁ ଏହି ଜଳପ୍ରପାତର ଉନ୍ନତିକରଣ ପାଇଁ ୩୦ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିଲା। ଏଥିରେ ଜଳ ପ୍ରପାତ ସାମ୍ନାରେ ଓ ରାସ୍ତାରେ ଗାର୍ଡୱାଲ ନିର୍ମାଣ, ଚାଲିବା ପାଇଁ ପାହାଚ, ଶିବ ମନ୍ଦିରକୁ ଯିବା ପାଇଁ ପାହାଚ ନିର୍ମାଣ, ବସିବା ପାଇଁ ପେଣ୍ଡାଲ ଓ ଶୌଚାଳୟ ଆଦି ନିର୍ମାଣ କରାଯାଇଛି। ଫଳରେ ପୂର୍ବପେକ୍ଷା ଏଠାରେ ବର୍ତ୍ତମାନ ପର୍ଯ୍ୟଟକ ଆସିବା ପାଇଁ ଆକୃଷ୍ଟ ହେଉଛନ୍ତି। ଅନ୍ୟପକ୍ଷରେ ଭଟାଙ୍ଗପଦର ଗ୍ରାମରୁ ଜଳପ୍ରପାତକୁ ଯାଉଥିବା ୫ କି.ମି. ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ଫଳରେ ପର୍ଯ୍ୟଟକ ଯାତାୟାତ କଳାବେଳେ ନାହଁି ନ ଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି। ସେହିପରି ଜଳପ୍ରପାତ ଅଞ୍ଚଳରେ କୌଣସି ମୋବାଇଲ ନେଟୱର୍କ ଆସୁ ନ ଥିବାରୁ ପର୍ଯ୍ୟଟକଙ୍କୁ ଯୋଗାଯୋଗରେ ବାଧା ସୃଷ୍ଟି ହୋଇଥାଏ। ରାସ୍ତା ଓ ନେଟୱର୍କ ସମସ୍ୟା ପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ କିଛିଟା ନିରାଶ ଦେଖିବାକୁ ମିଳିଥାଏ। ଜଳ ପ୍ରପାତ କଳାହାଣ୍ଡି ଉତ୍ତର ବନଖଣ୍ଡ ଅଧୀନରେ ରହିଥିବା ବେଳେ ଜଳପ୍ରପାତକୁ ଯିବା ପାଇଁ ପ୍ରତ୍ୟହ ପର୍ଯ୍ୟଟକଙ୍କୁ ୨୦ଟଙ୍କା ଟିକେଟ ନିଆଯାଇଥାଏ। ତେବେ ରାସ୍ତା ଓ ନେଟୱର୍କ ସୁବିଧା କରାଗଲେ ଆହୁରି ଅଧିକ ପର୍ଯ୍ୟଟକ ଏଠାକୁ ଆସନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।