କେନ୍ଦୁଝର,୨୮ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବଡବିଲ ରେଞ୍ଜ ଅଧୀନ ନାଲଦା ସେକ୍ସନ କାରାଖେଣ୍ଡରା ବିଟ ଅନ୍ତର୍ଗତ ଉଲିବୁର ସଂରକ୍ଷିତ ଜଙ୍ଗଲରେ ଡାଇଭରର୍ସନ ନ କରି ଜଙ୍ଗଲ ଜମିରେ ରାସ୍ତା ନିର୍ମାଣ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ମନ୍ତ୍ରୀ ଗଣେଷ ରାମ ସିଂ ଖୁଂଟିଆ ସୂଚନା ଦେଇଛନ୍ତି। ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲା ଗ୍ରସ୍ତ ବେଳେ ସ୍ଥାନୀୟ ସର୍କିଟ ହାଉସଠାରେ ଏହି ସୂଚନା ପ୍ରଦାନ କରିଛନ୍ତି।
ତଳିଆ କର୍ମଚାରୀ ନୁହେଁ ଆର୍ସେଲର ମିତ୍ତଲ କମ୍ପାନୀର ବଡ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ମନ୍ତ୍ରୀ ପ୍ରକାଶ କରିଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଆଇନ ଉଲ୍ଲଙ୍ଘନକାରୀଙ୍କ ପ୍ରତି କଠୋରରୁ କଠୋର ପଦକ୍ଷେପ ନେବାକୁ କେନ୍ଦୁଝର ବନଖଣ୍ଡ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ବଡବିଲ ଖଣିଅଞ୍ଚଳ ମଧ୍ୟରେ ବେଆଇନ କାମ ନେଇ ବନ ବିଭାଗ ବିଳମ୍ବରେ ଜାଣିଥିଲେ ବା ବିଳମ୍ବରେ ଉଚ୍ଚ ଅଧିକାରୀଙ୍କୁ ସୂଚନା ଦେଇଥିଲେ ବଡବିଲ ରେଞ୍ଜର, ନାଲଦା ଫରେଷ୍ଟର ଏବଂ କାରାଖେଣ୍ଡରା ଫରେଷ୍ଟ ଗାର୍ଡଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପରେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡିବ ବୋଲି ମନ୍ତ୍ରୀ କହିଛନ୍ତି। କେନ୍ଦୁଝର ସାଂସଦ ଅନନ୍ତ ନାୟକ ମଧ୍ୟ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ଆର୍ସେଲର ମିତଲ ପ୍ରାଇଭେଟ ଲିଃ ବଡ ବଡ ଅଧିକାରୀଙ୍କ ବିରୋଧରେ କଡା ଆକ୍ସନ ଗ୍ରହଣ କରାଯିବା ସହ ଖଣି ବନ୍ଦ କରିବାକୁ ଦାବି କରିଛନ୍ତି।
ଓଏମଡିସିଠାରୁ ଏନଓସି ଏବଂ ବନ ବିଭାଗଠାରୁ ନ ପାଇ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ମିତ୍ତଲ କିପରି ରାସ୍ତା ନିର୍ମାଣ କଲା ତାହାକୁ ନେଇ ସାଂସଦ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ବନ ବିଭାଗ ତୁରନ୍ତ ଉଭୟ କମ୍ପାନୀ ବିରୋଧରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ବୋଲି ଏମ୍ପି ଅନନ୍ତ ନାୟକ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଗତ ୨୪ ତାରିଖ ଦିନ ଉଲିବୁର ସଂରକ୍ଷିତ ଜଙ୍ଗଲରେ ରାସ୍ତା ନିର୍ମାଣ ବେଳେ ବନ ବିଭାଗ ୫ଗାଡି ଜବତ୍ କରିଥିଲା। ଜବତ୍ ଗାଡି ମଧ୍ୟରେ ୨ଟି ଏକ୍ସକାଭେଟର ଏବଂ ୩ଟି ହାଇୱା ଗାଡି ରହିଥିଲା।
ଓଏମ୍ଡିସି ବେଲକୁଣ୍ଡି ଲିଜ୍ ଅଞ୍ଚଳ ପରିସରରେ ଥିବା ଉଲିବୁର ସଂରକ୍ଷିତ ଜଙ୍ଗଲରେ ଆର୍ସେଲର ମିତ୍ତଲ ପ୍ରାଇଭେଟ ଲିଃ ଠାକୁରାଣୀ ଲୌହ ଖଣି ପକ୍ଷରୁ ଖଣିଜ ପଥର ପରିବହନ ପାଇଁ ପୂର୍ବରୁ ଥିବା ଏକ ସାଇଡିଂ ସମ୍ପ୍ରସାରଣ, ରାସ୍ତା ନିର୍ମାଣ ଓ ରେଳ ଲାଇନ ବିଛାଇବା ପାଇଁ ଜଙ୍ଗଲ ଜମିରେ ବେଆଇନ ଭାବେ କାମ କରୁଥିଲା। ଓଏମଡିସି ଠାରୁ ଏନଓସି ନ ନେଇ ଏବଂ ଜଙ୍ଗଲ ଜମିକୁ ଅଣ ଜଙ୍ଗଲ କିସମ ପରିବର୍ତ୍ତନ ନ କରି ରାସ୍ତା ଚଉଡା କରୁଥିବା ଜଣାପଡିବା ପରେ ବନବିଭାଗ ପକ୍ଷରୁ ଓଡିଶା ଜଙ୍ଗଲ ଆଇନ ୧୯୭୨ର ଧାରା ୨୭ରେ ୟୁଡି ମାମଲା ରୁଜୁ ହୋଇଛି।
ଜଙ୍ଗଲ ଜମିରେ ବେଆଇନ ରାସ୍ତା ନିର୍ମାଣ କରାଯାଇଥିବାରୁ ମିତ୍ତଲ ଏବଂ ଓଏମ୍ଡିସିକୁ କାରଣ ଦର୍ଶାଅ ନୋଟିସ କରାଯାଇଛି ବୋଲି କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ୍ଡି ପ୍ରକାଶ କରିଛନ୍ତି।
କାରଣ ଦର୍ଶାଅ ନୋଟିସରେ ୩ଦିନ ମଧ୍ୟରେ ଉତ୍ତର ରଖିବାକୁ କୁହାଯାଇଛି। ଉତ୍ତର ମିଳିବା ପରେ ବନବିଭାଗ ପକ୍ଷରୁ ଆଇନଗତ ପଦକ୍ଷେପ ନିଆଯିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ଏଏମ୍/ଏନଏସ୍ ପକ୍ଷରୁ କୁହାଯାଉଛି ଯେ, ସେମାନେ କୌଣସି ଅନିୟିତତା କରିନାହାଁନ୍ତି ା ଓଏମ୍ଡିସିଠାରୁ ଅନୁମୋତି ନେଇଥିବା ବେଳେ ଉକ୍ତ ସ୍ଥାନର ବିକାଶ କାମ କରାଯାଉଛି ଏବଂ କୌଣସି ଜଙ୍ଗଲ ନଷ୍ଟ କରିନାହାଁନ୍ତି ା