ହାଣ୍ଡି, ମାଠିଆ ଧରି ରାସ୍ତାରୋକ

ପାରଳାଖେମୁଣ୍ଡି,୧ା୬(ଡି.ଏନ୍‌.ଏ): ଗଜପତି ଜିଲା ପାରଳାଖେମୁଣ୍ଡି ନିକଟସ୍ଥ ସିଦ୍ଧମାଡଙ୍ଗ ଗ୍ରାମରେ ପିଇବା ପାଣିର ଅଭାବକୁ ନେଇ ଶତାଧିକ ମହିଳା ଓ ପୁରୁଷ ହାଣ୍ଡି, ମାଠିଆ ଧରି ରାୟଗଡ଼ା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡି ଅଟକି ରହିଛି।
ଗ୍ରାମରେ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଥିଲେ ସୁଦ୍ଧା ଦୀର୍ଘ ବର୍ଷ ଧରି ପାନୀୟ ଜଳ ସମସ୍ୟା ଲାଗି ରହିଥିବା ଯୋଗୁ ବାରମ୍ବାର ଗ୍ରାମବାସୀ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ସ୍ଥାନୀୟ ପ୍ରଶାସନ ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ କରି ଗୁରୁବାର ଅଞ୍ଚଳବାସିନ୍ଦା ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିବା ସହ ରାସ୍ତାରୋକ କରିଛନ୍ତି। ପାରଳାଖେମୁଣ୍ଡି ଠାରୁ କାଶୀନଗର, ଗୁଣୁପୁରୁ, ରାୟଗଡା ସଂଯୋଗ କରୁଥିବା ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରିଥିଲେ।