ରିଆମାଳ,୨୬।୫(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ବୁଢାପାଳ ଓ ପରା ପଞ୍ଚାୟତର ୩ ଗ୍ରାମ ଦେଇ କୋଇଲା ପରିବହନକୁ ବିରୋଧ କରି ତିନି ପଞ୍ଚାୟତର ଶତାଧିକ ମହିଳାପୁରୁଷ ସେଣ୍ଢା ଅନ୍ଧାରି ରାସ୍ତା ଉପରେ ବସି ରାସ୍ତାରୋକୋ କରିଛନ୍ତିI ସୂଚନା ଅନୁସାରେ ଅନୁଗୁଳ ଜିଲା ଛେଣ୍ଡିପଦା ବ୍ଲକର ନୈନି କୋଇଲା ଖଣିରୁ କଣିହାଁ ବ୍ଲକ ସ୍ଥିତ ଡେରେଙ୍ଗ ଜିନ୍ଦଲ ପାୱାର ପ୍ଲାଣ୍ଟକୁ ଚାଙ୍ଗୁଡ଼ିଆ ଗ୍ରାମ ଦେଇ କୋଇଲା ପରିବହନ କରାଯାଉଥିଲା। ମାତ୍ର ସେହି ଅଞ୍ଚଳର ଜନସାଧାରଣ ବିରୋଧ ପରେ କମ୍ପାନୀ ପକ୍ଷରୁ ରିଆମାଳ ବ୍ଲକର ବୁଢାପାଳ ପଞ୍ଚାୟତ ଅନ୍ତର୍ଗତ ସେଣ୍ଢା, ଗମ୍ଭାରିପାଳ ଗ୍ରାମ ଏବଂ ପରା ପଞ୍ଚାୟତର ଲୋହରାକୋଟ ଗ୍ରାମ ଦେଇ କୋଇଲା ପରିବହନ ବିରୋଧରେ କୋଇଲା ପରିବହନ ଗାଡ଼ି ଗୁଡ଼ିକୁ ଛଡ଼ା ନ ଯିବାକୁ ସୋମବାର ରାତି ୧୦ଟାରେ ସେଣ୍ଢା ଅନ୍ଧାରି ରାସ୍ତା ଉପରେ ଶତାଧିକ ଜନସାଧାରଣ ଙ୍କ ସମେତ ସଭାପତି ପବନୀ ଦେହୁରୀ, ସମ୍ପାଦକ ଦୁଷ୍ମନ୍ତ ବେହେରାଙ୍କ ନେତୃତ୍ୱରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ,ବୁଢାପାଳ ସରପଞ୍ଚ ଦିଲ୍ଲୀପ ଆଚାର୍ଯ୍ୟ ସାମିଲ ହୋଇ ରାସ୍ତାରୋକୋ କରିଛନ୍ତି। ସ୍ଥାନୀୟ ତହସିଲଦାର, ପୋଲିସ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ବୁଝାଇବାକୁ ପ୍ରୟାସ କରୁଥିବା ସୂଚନା ମିଳିଛି I ପୋଲିସ ସହ ବିଧାୟକ ଓ ଗ୍ରାମବାସୀ ଆଲୋଚନା ପରେ ରାତି ୧୧:୩୦ ପରେ ଆନ୍ଦୋଳନ ପ୍ରତ୍ୟାହାର ହେଇଥିବା ଜଣାପଡିଛି।