Categories: ରାଜ୍ୟ

ସଡ଼କ ଦୁର୍ଘଟଣା: ୨୦୨୨ରେ ୯.୦୯% ବଢ଼ିଛି ମୃତ୍ୟୁ

ଭୁବନେଶ୍ୱର,୨ା୨(ବ୍ୟୁରୋ):  ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଚିନ୍ତାଜନକ ରହିଛି। ଏହାକୁ ଦୃଷ୍ଟିରେ ରଖି ଏନ୍‌ଫୋର୍ସମେଣ୍ଟ କଡ଼ାକଡ଼ି କରିବାକୁ ପରିବହନ ବିଭାଗ ନିଷ୍ପତ୍ତି ନେଇଛି। ପ୍ରତି ମଙ୍ଗଳବାରକୁ ଜିରୋ ଟଲରାନ୍ସ ଡେ’ ଭାବେ ପାଳନ କରାଯିବ। ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ବିଭାଗ ଯୋଜନା କରିଛି। ଦ୍ରୁତ ଗାଡ଼ି ଚାଳନା, ମଦ୍ୟପ ଡ୍ରାଇଭର, ଭୁଲ ସାଇଡ୍‌ ଡ୍ରାଇଭିଂ, ମୋବାଇଲ ଫୋନରେ କଥାବାର୍ତ୍ତା ହୋଇ ଗାଡ଼ି ଚଲାଉଥିବା ବ୍ୟକ୍ତି, ହେଲ୍‌ମେଟ ଓ ସିଟ୍‌ବେଲ୍ଟ ପିନ୍ଧି ନ ଥିବା ନିୟମ ଉଲ୍ଲଂଘନକାରୀଙ୍କ ପାଇଁ ପୋଲିସ ଓ ଆରଟିଓ ଏନ୍‌ଫୋର୍ସମେଣ୍ଟ କଡ଼ାକଡ଼ି କରିବେ। ଏପ୍ରିଲ ୧ରୁ ୭ ଯାଏ ଶୂନ୍ୟ ମୃତ୍ୟୁ ସପ୍ତାହ(ଜିରୋ ଫାଟାଲିଟି ଓ୍ବିକ୍‌) ଭାବେ ପାଳନ କରାଯିବ। ଏଥିପାଇଁ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟ ଖସଡ଼ା ସାରିବାକୁ ତାଲିକା ପ୍ରସ୍ତୁତ ହୋଇଛି। ସିଆଇଡି ଓ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଅନୁସାରେ ୨୦୨୧ ତୁଳନାରେ ୨୦୨୨ରେ ୯.୦୯ ପ୍ରତିଶତରୁ ଅଧିକ ବଢିଛି ମୃତ୍ୟୁ ହାର। ଏପରି କି ୬ଟି ଜିଲାରେ ଏହା ୨୦ ପ୍ରତିଶତ ବୃଦ୍ଧି ପାଇଛି। ଢେଙ୍କାନାଳ, ଭଦ୍ରକ, ପୁରୀ, ସୁବର୍ଣ୍ଣପୁର, ଦେବଗଡ଼ ଓ ନୟାଗଡ଼ରେ ଏହା ୨୦ ପ୍ରତିଶତରୁ ଅଧିକ ବଢ଼ିଛି। ସେହିପରି ସୁନ୍ଦରଗଡ଼, ଗଞ୍ଜାମ, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, କଟକ, ସମ୍ବଲପୁର, କୋରାପୁଟ ଓ ଯାଜପୁରରେ ୨୦୦ରୁ ଅଧିକ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଘଟିଛି।