ସଡ଼କ ଦୁର୍ଘଟଣା: ଜାନୁୟାରୀରୁ ଅକ୍ଟୋବରରେ ୭୬ ମୃତ

ଜଗତ୍‌ସିଂହପୁର, ୧୫।୧୧ (ପ୍ରମୋଦ କୁମାର ନାୟକ): ସମନ୍ବିତ ରାସ୍ତା ଦୁର୍ଘଟଣା ଡାଟାବେସ୍‌ (ଆଇଆର୍‌ଏଡି) ଅନୁଯାୟୀ ଜଗତ୍‌ସିଂହପୁର ଜିଲାରେ ଜାନୁୟାରୀରୁ ଅକ୍ଟୋବର ମଧ୍ୟରେ ୨୦୦ଟି ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୭୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୨ ଜଣ ଆହତ ହୋଇଛନ୍ତି । ସର୍ବାଧିକ ଦୁର୍ଘଟଣା ସକାଳ ୬ରୁ ୯, ଅପରାହ୍ନ ୧୨ରୁ ୩ ଏବଂ ରାତି ୯ରୁ ୧୨ଟା ମଧ୍ୟରେ ଘଟୁଛି । ସେଥିମଧ୍ୟରୁ ବାଇକ ଦୁର୍ଘଟଣା ସଂଖ୍ୟା ସର୍ବାଧିକ । ତେଣୁ ଏ ବାବଦରେ ଅଧିକ ସତର୍କତା ଓ ସଚେତନତାର ଆବଶ୍ୟକତା ରହିଛି । ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଜିଲା ସଡ଼କ ସୁରକ୍ଷା କମିଟି ବୈଠକରେ ଏହା କୁହାଯାଇଛି । ଏଥିରେ ଜିଲାପାଳ ପାରୁଲ ପଟାୱାରି ପୌରୋହିତ୍ୟ କରି ଦୁର୍ଘଟଣା ହ୍ରାସ ନିମନ୍ତେ ଉଭୟ ପୋଲିସ ଓ ପରିବହନ ବିଭାଗର ମିଳିତ ଚଢାଉ ଉପରେ ଗୁରୁତ୍ୱ ଦେଇଥିଲେ । ବିଶେଷକରି ୨ ଚକିଆ ଗାଡି ଚାଳକଙ୍କ ହେଲମେଟ୍‌ ଚେକିଂ, ଗାଡିଚାଳନା ସମୟରେ ମୋବାଇଲ ବ୍ୟବହାର ଉପରେ କଟକଣା, ନିଶା ସେବନ କରି ଗାଡି ଚଳାଉଥିଲେ କାର୍ଯ୍ୟାନୁଷ୍ଠାନ ଏବଂ ଭୁତମୁଣ୍ଡେଇ ପୋଲ ଉପରୁ ଅବୈଧ ଗାଡି ପାର୍କିଂ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଆଞ୍ଚଳିକ ପରିବହନ ଅଧିକାରୀ ନିର୍ମଳ ମହାନ୍ତି କହିଥିଲେ, ଜାନୁୟାରୀରୁ ଅକ୍ଟୋବର ଭିତରେ ୨୦,୪୧୧ ଜଣଙ୍କ ଇ-ଚାଲାଣ କଟାଯାଇଛି । ୧୪୪୬ ଜଣଙ୍କ ଡିଏଲ୍‌ ସସ୍‌ପେଣ୍ଡ କରାଯାଇଛି। ବୈଠକରେ ହମ୍ପସ ଅପସାରଣ, ବ୍ଲାକ୍‌ସ୍ପଟ ଅଞ୍ଚଳ/ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ପ୍ରତିକାର ବ୍ୟବସ୍ଥା, ଆଲୋକୀକରଣ, ଟ୍ରକ ଟର୍ମିନାଲ ନିର୍ମାଣ, ଜଗତ୍‌ସିଂହପୁର ଓ ପାରାଦୀପ ପୌରାଞ୍ଚଳରେ ଆଇଟିଏମ୍‌ଏସ୍‌ ପ୍ରଚଳନ, ଗୁଡ୍‌ ସମାରିଟାନଙ୍କୁ ପ୍ରୋତ୍ସାହନ, ରକ୍ଷକ କାର୍ଯ୍ୟକ୍ରମ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏଥିରେ ଅତିରିକ୍ତ ଜିଲାପାଳ ଲଗ୍ନଜିତ୍‌ ରାଉତ, ଅତିରିକ୍ତ ଏସ୍‌ପି ଅମରେନ୍ଦ୍ର ପଣ୍ଡା, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ, ସିଡିଏମଓ, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ, ବସ୍‌ ଓ ଟ୍ରକ୍‌ ଆସୋସିଏଶନ୍‌ର କର୍ମକତ୍ତାମାନେ ଉପସ୍ଥିତ ଥିଲେ ।