Categories: ବରଗଡ଼

ସଡ଼କ ଦୁର୍ଘଟଣାରେ ଚାଲିଗଲା ୨ ଜଣଙ୍କ ଜୀବନ

ବରଗଡ଼ ଅଫିସ୍‌/ଅତାବିରା,୨୭।୧୨-ବରଗଡ଼ ସହର ଉପକଣ୍ଠ ପାଣିଛତର ଓଭରବ୍ରିଜ ଏବଂ ଗୋଡ଼ଭଗା-ତୁରୁମ ରାସ୍ତାରେ ରବିବାର ପୃଥକ ଭାବେ ୨ଟି ସଡ଼କ ଦୁର୍ଘଟଣା ଘଟିଛି। ଉଭୟ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ପାଣିଛତର ବ୍ରିଜ ଉପରେ ଜଣେ ଲୋକ ଯାଉଥିବା ବେଳେ ତାଙ୍କୁ ଏକ ଗାଡ଼ି ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳି ପାରିନାହିଁ । ସେ ଏକ କଳାରଙ୍ଗର ଫୁଲପ୍ୟାଣ୍ଟ ଏବଂ ପିଙ୍କ୍‌ ରଙ୍ଗର ଫୁଲ୍‌ ସାର୍ଟ ପିନ୍ଧିଛନ୍ତି । ମୃତଦେହକୁ ବରଗଡ଼ ଡାକ୍ତରଖାନା ଶବ ସଂରକ୍ଷଣ ଗୃହର ଫ୍ରିଜରରେ ରଖାଯାଇଛି । ସେହିପରି ଗୋଡ଼ଭଗା-ସୋନପୁର ରାସ୍ତାର ଖୁଣ୍ଟଲିପାଲି ଛକ ନିକଟରେ ଏକ ବାଲି ବୋଝେଇ ହାଇୱା (ନଂ.ଓଆର୧୯ଇ/୬୯୧୧) ଧକ୍କା ଦେବାରୁ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅତାବିରା ଥାନା ଗୁର୍ଖାପାଲି ଗ୍ରାମ ହରିଜନପଡ଼ାର ରୋହିତ ଭୋରାସାଗର। ରୋହିତ ତାଙ୍କ ଶଳା ଉପେନ୍ଦ୍ର ତାଣ୍ଡିଙ୍କ ସହିତ ଏକ ବାଇକ୍‌ (ନଂ.ଓଡ଼ି୩୧ଏ/୦୨୧୨) ଯୋଗେ ଡାଲବ ପଞ୍ଚାୟତ ମହୁଲପାଲି ହରିଜନପଡ଼ାକୁ ଅଳଙ୍କାର ପିନ୍ଧାନୀ କାର୍ଯ୍ୟକ୍ରମକୁ ଯାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ଅଧିକ ତଦନ୍ତ କରୁଛି ।