କାମରେ ଆସୁନି ଆର୍‌ଏମ୍‌ସି ଗୋଦାମ

ବାଲିଆପାଳ, ୧।୩(ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଦେଉଳା ପଞ୍ଚାୟତ ଅଧୀନ ବାସୁଦେବପୁରଠାରେ ୧୦ବର୍ଷ ପୂର୍ବରୁ ୨ଏକରରୁ ଊର୍ଦ୍ଧ୍ୱ ସରକାରୀ ଜାଗାରେ ଜଳେଶ୍ୱର ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ପକ୍ଷରୁ ଗୋଦାମ ଘର ନିର୍ମାଣ ହୋଇଛି। ଆଜି ଯାଏ ଏହି ଘର ସରକାରୀ ସ୍ତର ହେଉ କି ବେସରକାରୀ ସ୍ତରରେ କୌଣସି କାର୍ଯ୍ୟରେ ଆସୁନାହିଁ। ନିର୍ମାଣଦିନଠାରୁ ଫାଟକରେ ତାଲା ଝୁଲୁଛି। ଏପରିକି ତାଲାରେ କଳଙ୍କି ପଡ଼ି ଲୁହା ଝଡ଼ି ପଡ଼ିଲାଣି। ଗୋଦାମ ଘର କାର୍ଯ୍ୟରେ ଲାଗୁ ନ ଥିବାରୁ ବର୍ଷ ବର୍ଷ ଧରି ପଡ଼ି ରହି ଆଜବେଷ୍ଟସ ଛପର ଭାଙ୍ଗିଗଲାଣି। ଲୁହା ଗେଟ୍‌ରେ କଳଙ୍କି ଲାଗି ନଷ୍ଟ ହେବାକୁ ବସିଲାଣି। କାହାରି କାର୍ଯ୍ୟରେ ଆସୁ ନ ଥିବାରୁ ଏତେ ବଡ଼ ଗୋଦାମ ଘର ଓ ତତ୍‌ସଂଲଗ୍ନ ଅଞ୍ଚଳ ଜଙ୍ଗଲ ପରି ଦେଖାଯାଉଛି। ଏହି ଗୋଦାମ ଘର ବିଷୟରେ ବିଭାଗୀୟ ଅଫିସରଙ୍କ ପାଖରେ କୌଣସି ଖବର ନାହିଁ। କେବଳ ମୁଖ୍ୟ ଫାଟକରେ ଏହା ନିୟନ୍ତ୍ରିତ ବଜାର କମିଟି ଜଳେଶ୍ୱରର ଗୋଦାମ ଘର ବୋଲି ଲେଖାଯାଇଛି। ହେଲେ ଏହି ବିଭାଗର ବାଲିଆପାଳରେ କୌଣସି ଶାଖା କାର୍ଯ୍ୟାଳୟ ନାହିଁ। ସରକାରୀ ଅର୍ଥରେ ତିଆରି ହୋଇଥିବା ଏହି ଗୋଦାମ ଘର ସରକାରୀ ଅର୍ଥରେ ତିଆରି ହୋଇଛି। ଏହାକୁ ସଦ୍‌ବିନିଯୋଗ କରାଯିବା ଲାଗି ସାଧାରଣରେ ଦାବି ହୋଇଛି।