Categories: ଜାତୀୟ

ବିରୋଧୀଙ୍କୁ ଏକତ୍ରିତ ହେବାକୁ ଲାଲୁଙ୍କ ଆହ୍ବାନ

ନୂଆଦିଲ୍ଲୀ,୧୦ା୧୦: ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ସୋମବାର ପୁଣିଥରେ ପୁରୁଣା ‘ମଣ୍ଡଳ ବନାମ କମଣ୍ଡଳ’ ବିତର୍କ ଉଠାଇବାକୁ ଆହ୍ବାନ ଦେଇଛନ୍ତି। ଭାଜପା ସମାଜରେ ସାମ୍ପ୍ରଦାୟିକ ବିଦ୍ୱେଷ ବଢ଼ାଇ ଦୁର୍ବଳ ବର୍ଗର ଲୋକଙ୍କ ବିରୋଧରେ ଯାଉଛି। ଏହି ଦଳ ସାମାଜିକ ନ୍ୟାୟର ବିରୁଦ୍ଧାଚରଣ କରୁଛି ବୋଲି ଲାଲୁ ସମାଲୋଚନା କରିଛନ୍ତି। ସେ ବିରୋଧୀ ଦଳଗୁଡ଼ିକୁ ଏକତ୍ରିତ କରୁଥିବାରୁ କେନ୍ଦ୍ର ସରକାର ତାଙ୍କ ପଛରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଭଳି ଏଜେନ୍ସିଗୁଡ଼ିକୁ ଲଗାଉଛି। ଏଥିରେ ସେ ଆଦୌ ଭୟଭୀତ ନୁହନ୍ତି ବୋଲି ଲାଲୁ ରୋକ୍‌ଠୋକ୍‌ ଶୁଣାଇଛନ୍ତି। ସୂଚନାଯୋଗ୍ୟ, ନୂଆଦିଲ୍ଲୀର ତାଲକଟୋରା ଷ୍ଟାଡିୟମ୍‌ରେ ଆର୍‌ଜେଡି ପ୍ରତିଷ୍ଠା ଦିବସ ଅବସରରେ ଦ୍ୱାଦଶ ଥର ଅଧ୍ୟକ୍ଷ ମନୋନୀତ ହେବା ପରେ ବିହାରର ୭୪ ବର୍ଷୀୟ ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ମୀମାନଙ୍କୁ ସମ୍ବୋଧିତ କରି କହିଛନ୍ତି, ଭାଜପା ବିରୋଧରେ ସବୁ ବିରୋଧୀ ଦଳ ଏକାଠି ହେବା ସମୟ ଆସିଯାଇଛି ବୋଲି ଦେଶ ବୁଝି ସାରିଲାଣି। ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଆସନରୁ ହଟାଇବା ଲାଗି କଂଗ୍ରେସ ସହ ଯେଉଁ ଦଳ ଛିଡ଼ା ହେବ ନାହିଁ ତାକୁ ଦେଶବାସୀ କେବେ କ୍ଷମା କରିବେ ନାହିଁ। ଏହି ଅବସରରେ ଲାଲୁଙ୍କ ପୁଅ ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ କହିଥିଲେ, ବିରୋଧୀ ଦଳଗୁଡ଼ିକ ବ୍ୟକ୍ତିଗତ ଅହଂଭାବ ଛାଡ଼ି ଭାଜପା ବିରୋଧରେ ମିଳିମିଶି ଲଢ଼େଇ କରନ୍ତୁ। ବିରୋଧୀ ଦଳ ଶାସକ ଭାଜପା ସହ ହାତ ମିଳାଇବେ ନା ଏହା ବିରୋଧରେ ଯିବେ ତାହା ସ୍ଥିର କରନ୍ତୁ।

Share