Categories: ଜାତୀୟ

Bihar Crisis: ଜେଡିୟୁ ରାସ୍ତାରେ ଆର୍‌ଜେଡି, ଲାଲୁ ପକାଇଲେ ମାଞ୍ଝିଙ୍କ ପୁଅକୁ ଉପମୁଖ୍ୟମନ୍ତ୍ରୀ କରିବା ଥୋପ

ପାଟନା,୨୬।୧: ବିହାର ରାଜନୀତିରେ ହାଇଡ୍ରାମାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ପଟେ ନୀତୀଶ କୁମାର ଏନ୍‌ଡିଏ ସହ ଡିଲ୍‌ କରିବାକୁ ପ୍ରସ୍ତୁତ ଥିବା ବେଳେ ଆର୍‌ଜେଡି ମଧ୍ୟ ସରକାର ଗଢ଼ିବାକୁ ନେଇ ଜାଲ ବିଛାଉଛି। ଲାଲୁ ଯାଦବ ପୁଅ ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ୪ ବିଧାୟକ ଥିବା ଜୀତନ ରାମ ମାଞ୍ଝିଙ୍କ ନିକଟରେ ପହଞ୍ଚିଛନ୍ତି। ସେ ମାଞ୍ଝିଙ୍କ ପୁଅଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିବାର ଲୋଭ ଦେଖାଇଛନ୍ତି। ଏପରିକି ଆର୍‌ଜେଡି କଂଗ୍ରେସ ଏବଂ ଅନ୍ୟ ଦଳମାନଙ୍କ ବିଧାୟକ ସହ ସମ୍ପର୍କ କରୁଛି। କହିବାକୁ ଗଲେ ନୀତୀଶଙ୍କ ପ୍ରତିଟି ପଦକ୍ଷେପ ଉପରେ ଲାଲୁ-ତେଜସ୍ବୀଙ୍କ ନଜର ରହିଛି।

କୁହାଯାଉଛି, ଲାଲୁ-ନୀତୀଶଙ୍କ ମଧ୍ୟରେ ଶୁକ୍ରବାର କୌଣସି ଆଲୋଚନା ହୋଇନାହିଁ। ଗୁରୁବାର ଦୁଇ ଥର ଲାଲୁ ନୀତୀଶଙ୍କ ସହ କଥା ହୋଇଥିଲେ। ଏବେ ଜେଡିୟୁର ଅନେକ ବିଧାୟକ ଆର୍‌ଜେଡି ସହ ସମ୍ପର୍କରେ ଅଛନ୍ତି। ଯଦି ନୀତୀଶ ମେଣ୍ଟରୁ ଅଲଗା ହୁଅନ୍ତିି ତେବେ ଆର୍‌ଜେଡି ବହୁମତ ଆଧାରରେ ରାଜ୍ୟପାଳଙ୍କ ସମ୍ମୁଖରେ ବିଧାୟକଙ୍କୁ ଛିଡ଼ା କରିପାରେ ବୋଲି ଦାବି ହେଉଛି।

ଏସବୁ ମଧ୍ୟରେ ମାଞ୍ଝି କହିଛନ୍ତି, ‘ନିକଟରେ ମୁଁ କହିଥିଲି ଯେ ଜାନୁଆରୀ ୨୦ ପରେ ବିହାରରେ କିଛି ନା କିଛି ପରିବର୍ତ୍ତନ ହୋଇପାରେ। ଗତ କିଛିଦିନ ମଧ୍ୟରେ ନୀତୀଶ ଆର୍‌ଜେଡି ବିରୋଧରେ ଅନେକ କଥା କହିଥିଲେ। ଏବେ ଉଭୟଙ୍କ ମଧ୍ୟରେ ମେଣ୍ଟ ସରକାର ଚାଲିପାରିବ ନାହିଁ। ’

Share