Categories: ଜାତୀୟ

୩୧ ବର୍ଷରେ ପଦାର୍ପଣ କଲେ ତେଜସ୍ବୀ, ଗୋଟିଏ ଦିନ ପରେ ମିଳିପାରେ ବଡ ଉପହାର

ପାଟନା,୯।୧୧: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସୁପୁତ୍ର ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ସୋମବାର ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟିଛି। ଯୁବ ନେତାଙ୍କ ଜନ୍ମଦିନରେ ପରିବାରଠାରୁ ଆରମ୍ଭ କରି ଦଳର ସମସ୍ତ ନେତା ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଭଉଣୀ ରୋହିଣୀ ଆଚାର୍ଯ୍ୟ ଏବଂ ଭାଇ ତେଜ ପ୍ରତାପ ମଧ୍ୟ ଟୁଇଟ୍‌ ଯୋଗେ ସାନ ଭାଇଙ୍କ ଦୀର୍ଘ ଜୀବନ କାମନା କରିଛନ୍ତି। ଏଥର ତେଜସ୍ବୀଙ୍କ ଜନ୍ମଦିନ ବେଶ୍‌ ଖାସ୍‌ ହେବାକୁ ଯାଉଛି। କାରଣ ଏହାର ଗୋଟିଏ ଦିନ ପରେ ବିହାର ବିଧାନ ସଭାର ଫଳାଫଳ ପ୍ରକାଶ ପାଇବ। ତେଜସ୍ବୀ ଯାଦବଙ୍କ ନେତୃତ୍ୱରେ ଗଠିତ ମହାଗଠବନ୍ଧନ ବିହାରରେ ସରକାର ଗଠନ କରିବ ବୋଲି ଏକଜିଟ ପୋଲ ଫଳାଫଳରୁ ସ୍ପଷ୍ଟ ହୋଇଛି। ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୨୨। ଏକାଧିକ ଏକଜିଟ ପୋଲ ମହାଗଠବନ୍ଧନ ବେଶ ଆରାମରେ ମ୍ୟାଜିକ ନମ୍ବର ହାସଲ କରିନେବ ବୋଲି ଆକଳନ କରିଛନ୍ତି। ଏକାଧିକ ସଂସ୍ଥା କରିଥିବା ସର୍ଭେ ରିପୋର୍ଟକୁ ଆକଳନ କଲେ ମହାଗଠବନ୍ଧନ ହିଁ ସବୁଥିରେ ଆଗରେ ରହିଛି। ଏଥିରୁ ଜଣାପଡୁଛି ତେଜସ୍ବୀଙ୍କ ଜନ୍ମଦିନ ଦିନ ଉପହାର ଗୋଟିଏ ଦିନ ପରେ ମିଳିପାରେ।

Share