କରାଚୀ,୨୦ା୪: ପାକିସ୍ତାନ ସିନିୟର ଉଇକେଟ୍କିପର ବ୍ୟାଟର ମହମ୍ମଦ ରିଜ୍ଓ୍ୱାନ କହିଛନ୍ତି, ବର୍ତ୍ତମାନ ଯଦିଓ ସେ ଫର୍ମ ଫେରିପାଇବାକୁ ସଂଘର୍ଷ ଚଳାଇଛନ୍ତି, ନିକଟରେ ଟି୨୦ କ୍ରିକେଟରୁ ତାଙ୍କର ଅବସର ନେବାର କୌଣସି ଅଭିପ୍ରାୟ ନାହିଁ। ସେ ତାଙ୍କ ପୁରୁଣା ଫର୍ମ ଫେରିପାଇବା ପାଇଁ ଖୁବ୍ ପରିଶ୍ରମ କରୁଛନ୍ତି। ଏହି ଫର୍ମାଟ୍ରେ ଜାତୀୟ ଦଳରେ ସ୍ଥାନ ପାଇବା ଲାଗି ସେ ଅନ୍ୟ ଖେଳାଳିଙ୍କ ସହ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହେଉଛନ୍ତି।
ଚଳିତ ପାକିସ୍ତାନ ସୁପର ଲିଗ୍(ପିଏସ୍ଏଲ୍)ରେ ରିଜ୍ଓ୍ୱାନ କଠିନ ସମୟ ଦେଇ ଗତି କରୁଛନ୍ତି। ରାଓ୍ୱଲପିଣ୍ଡି ଦଳର ଅଧିନାୟକତ୍ୱ କରି ସେ କ୍ରମାଗତ ୭ଟି ମ୍ୟାଚରେ ପରାଜିତ ହୋଇସାରିଲେଣି। କରାଚୀରେ ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ଯେତେବେଳେ ତୁମେ ଅନୁଭବ କରିବ ଯେ ଦଳରେ ସ୍ଥାନ ପାଇବା ଲାଗି ଅନ୍ୟ ଖେଳାଳିମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଅସମର୍ଥ, ସେତେବେଳେ ତୁମେ ଅବସର ନେବା କଥା ଚିନ୍ତା କରିବ।
ବର୍ତ୍ତମାନ ସେ ଯେପରି ଫର୍ମରେ ଅଛନ୍ତି ଅବସର ନେଇଯିବା ସହ ଯୁବ ଖେଳାଳିମାନଙ୍କୁ ସୁଯୋଗ ଦେବା ଉଚିତ ହେବ କି ବୋଲି ଜଣେ ଖବରଦାତାଙ୍କ ପ୍ରଶ୍ନର ଉତ୍ତରରେ ରିଜ୍ଓ୍ୱାନ ଉପରୋକ୍ତ କଥା କହିଛନ୍ତି।
ସୂଚନାଯୋଗ୍ୟ, ୩୩ ବର୍ଷୀୟ ରିଜ୍ଓ୍ୱାନଙ୍କୁ ଗତ ୨୦୨୪ ଡିସେମ୍ୱରରୁ ପାକିସ୍ତାନ ଟି୨୦ ଦଳରେ ସ୍ଥାନ ମିଳୁନି। କିନ୍ତୁ ସେ ଏହି ଫର୍ମାଟ୍ରେ ବିଦେଶ ଲିଗ୍ ଏବଂ ଘରୋଇସ୍ତର ମ୍ୟାଚରେ ସକ୍ରିୟ ଅଛନ୍ତି। ସେ ବର୍ତ୍ତମାନ ଭଲ ଫର୍ମରେ ନ ଥିବା ସ୍ୱୀକାର କରିଛନ୍ତି।