Categories: ଖେଳ

ଶ୍ରୀଲଙ୍କା ଆଗରେ ୨୫୩ ରନ୍‌ର ବିଜୟ ଟାର୍ଗେଟ୍‌

କଲମ୍ବୋ,୧୪।୯: କଲମ୍ବୋ ସ୍ଥିତ ଆର୍‌.ପ୍ରେମାଦାସ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ୨୦୨୩ ଏସିଆ କପ୍‌ର ସୁପର-୪ର ପଞ୍ଚମ ମ୍ୟାଚ୍‌ରେ ପାକିସ୍ତାନ ଅଧିନାୟକ ବାବର ଆଜମ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳର ମହମ୍ମଦ ରିଜଓ୍ବାନ ଏବଂ ଅବଦୁଲ୍ଲା ଶଫିକଙ୍କ ଦମ୍‌ଦାର ଅର୍ଦ୍ଧଶତକ ବଳରେ ୪୨ ଓଭର ମ୍ୟାଚ୍‌ରେ ପାକିସ୍ତାନ ୭ ଉଇକେଟ ହରାଇ ୨୫୨ ରନ୍‌ କରିବାରେ ସକ୍ଷମ ହୋଇଛି। ଫଳରେ ଶ୍ରୀଲଙ୍କା ଆଗରେ ୨୫୩ ରନ୍‌ର ବିଜୟ ଟାର୍ଗେଟ ରଖିଛି ପାକିସ୍ତାନ।

ଇମାମ ଉଲ୍‌ ହକଙ୍କ ସ୍ଥାନରେ ଅବଦୁଲ୍ଲା ଶଫିକ୍‌ ଖେଳି ୫୨ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ୍‌ ଖେଳିଥିଲେ। ଓପନର ଫଖର ଜମନ ୪ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଥିଲେ। ପରବର୍ତ୍ତୀ ସମୟରେ ଅଧିନାୟକ ବାବର ଆଜମ ପଡ଼ିଆକୁ ଆସି ୨୯ ରନ୍‌ କରିଥିଲେ। ମହମ୍ମଦ ହାରିସ୍‌ ୩ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ମହମ୍ମଦ ନଓ୍ବାଜ ୧୨ ରନ୍‌ କରିଥିଲେ। ଫଳରେ ପାକିସ୍ତାନ ୧୩୦ ରନ୍‌ କରି ୫ ଉଇକେଟ ହରାଇଥିଲା।

ହେଲେ ମହମ୍ମଦ ରିଜଓ୍ବାନ ୮୬* ରନ୍‌ କରିଥିବା ବେଳେ ଇଫତିଖାର ଅହମଦ ୪୭ ରନ୍‌ କରି ପାକିସ୍ତାନକୁ ସଙ୍କଟରୁ ଉଦ୍ଧାର କରିଥିଲେ। ରିଜଓ୍ବାନ ୭୩ ବଲ୍‌ ଖେଳି ୬ ଚୌକା ଓ ୨ ଛକା ମାରିଥିଲେ। ଇଫତିଖାର ୪୦ ବଲ୍‌ ଖେଳି ୪ ଚୌକା ଓ ୨ ଛକା ମାରିଥିଲେ। ଶ୍ରୀଲଙ୍କାର ମଥୀଷା ପଥିରାନା ସର୍ବାଧିକ ୩ ଉଇକେଟ ନେଇଥିବା ବେଳେ ପ୍ରମେଦ ମଦୁଶାନ ୨ ଉଇକେଟ ନେଇଥିଲେ। ମହୀଷ ଥିକ୍‌ସାନା ଏବଂ ଦୁନିଥ ଓ୍ବେଲାଲାଗେ ଗୋଟିଏ ଲେଖାଏ ଉଇକେଟ ନେବାରେ ସକ୍ଷମ ହୋଇଥିଲେ। ବର୍ଷା କାରଣରୁ ମ୍ୟାଚ୍‌ ୨ ଘଣ୍ଟ ବିଳମ୍ବରେ ଆରମ୍ଭ ହୋଇଥିଲା। ଏନେଇ ମ୍ୟାଚ୍‌କୁ ୪୫ ଓଭରକୁ ହ୍ରାସ କରାଯାଇଥିଲା। ହେଲେ ମ୍ୟାଚ୍‌ ଅଧାରେ ପୁଣି ବର୍ଷା କାରଣରୁ ଖେଳକୁ ୪୨ ଓଭର ବିଶିଷ୍ଟ କରାଯାଇଥିଲା।

Share