ପିଲାଙ୍କ ପ୍ରତି ବଢ଼ିବ ରିସ୍କ

ଭୁବନେଶ୍ୱର,୧୫ା୫(ବ୍ୟୁରୋ): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଅଧିକ ଶକ୍ତିଶାଳୀ ରହିଛି। ଏହି ଲହରରେ ଏବେ ଯୁବପିଢ଼ି ଓ ଶିଶୁ ବହୁ ଆକ୍ରାନ୍ତ ହେଉଛନ୍ତି। ଏଯାବତ୍‌ ୨୯,୪୧୩ ପିଲା ଆକ୍ରାନ୍ତ ହୋଇସାରିଲେଣି। ତେବେ ବୟସ୍କଙ୍କ ତୁଳନାରେ ପିଲାମାନେ କମ୍‌ ଗୁରୁତର ହେଉଛନ୍ତି। ବର୍ତ୍ତମାନ ଏହି ଧାରା ଚାଲିଥିଲେ ମଧ୍ୟ ଆଗକୁ ତୃତୀୟ ଲହରରେ କ’ଣ ହେବ ତାହାକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା ବଢ଼ିଛି। କାରଣ ସେତେବେଳକୁ ବୟସ୍କମାନେ ଟିକା ନେଇସାରିଥିବେ। ତେଣୁ ପିଲାଙ୍କ ରିସ୍କ ବଢ଼ିଯିବ ବୋଲି ଭୁବନେଶ୍ୱରସ୍ଥିତ ଜଗନ୍ନାଥ ହସ୍ପିଟାଲ ନବଜାତ ଶିଶୁ ରୋଗ ବିଶେଷଜ୍ଞ ଡା. ଅରିଜିତ୍‌ ମହାପାତ୍ର।
ସେ କହିଛନ୍ତି, ପିଲାଙ୍କ ପ୍ରତି ରିସ୍କ ବଢ଼ିଲେ ମଧ୍ୟ କେହି ଭୟଭୀତ ନ ହେବା ଉଚିତ। ରାଜ୍ୟରେ ଗୁରୁତର ପିଲାଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଉପଯୁକ୍ତ ଇକ୍ୟୁପ୍‌ମେଣ୍ଟ ରହିଛି। ପିଲାଙ୍କ ପାଇଁ ଭେଣ୍ଟିଲେଟର ମଧ୍ୟ ରହିଛି। ଏବେ ବି ପିଲା ଗୁରୁତର ହେଲେ ଚିକିତ୍ସା କରାଯାଇପାରୁଛି। ଛୋଟ ପିଲାଙ୍କ ପାଇଁ ଟିକା ଏବେ ଆସି ନାହିଁ। ତେଣୁ ସମସ୍ତେ ସତର୍କ ହୋଇ ପିଲାଙ୍କ ଯତ୍ନ ନେବା ଉଚିତ। ଘରର ବଡ଼ମାନଙ୍କଠାରୁ ହିଁ ଶିଶୁମାନେ ସଂକ୍ରମିତ ହେଉଛନ୍ତି। ତେଣୁ ବଡ଼ମାନେ ଅଧିକ ସତର୍କ ରହିବା ସହିତ ଟିକା ନେବା ଜରୁରୀ। ପିଲାଙ୍କୁ ଜ୍ୱର, ଥଣ୍ଡା, କାଶ, ଝାଡ଼ା ବାନ୍ତି କିମ୍ବା ଶରୀରରେ କିଛି ଫଳିଯିବା ଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ସେହିପରି ଶିଶୁଙ୍କ ସମ୍ପର୍କରେ ଆସୁଥିବା ମା’ ମୁହଁରେ ମାସ୍କ ପିନ୍ଧିବା ସହ ବାରମ୍ବାର ହାତ ଧୋଇବା ଦରକାର। କରୋନାରେ ଆକ୍ରାନ୍ତ ଥିବା ମା’ ମଧ୍ୟ ସବୁ ପ୍ରକାର ସତର୍କତା ଅବଲମ୍ବନ କରି ଶିଶୁକୁ ସ୍ତନ୍ୟପାନ କରିପାରିବେ ବୋଲି ଡା. ମହାପାତ୍ର ପରାମର୍ଶ ଦେଇଛନ୍ତି।

କରୋନାକୁ ହରାଇଲେ ଦୁଇ ନବଜାତକ

କରୋନାର ଦ୍ୱିତୀୟ ଲହର ଅଧିକ ସକ୍ରିୟ ଓ ଘାତକ ହେଉଛି। ନୂଆ ଷ୍ଟ୍ରେନ୍‌ ଏବେ ଶିଶୁମାନଙ୍କୁ ଆକ୍ରାନ୍ତ କରୁଥିବାରୁ ମା’ବାପାଙ୍କ ମନରେ ଛନକା ପଶିଛି। ଏ ପରିସ୍ଥିତିରେ ୨ ନବଜନ୍ମିତ ଶିଶୁ କରୋନାରୁ ସୁସ୍ଥ ହେବା ଘଟଣା ଆଶ୍ୱସ୍ତି ଦେଇଛି। ଈଶାନୀ ଅଗ୍ରୱାଲ ନାମକ ୨୫ଦିନର ଶିଶୁକନ୍ୟା କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡିଥିଲେ। ତାଙ୍କର ମଲ୍‌ଟି ଅର୍ଗାନ ଫେଲ୍ୟୁର ହୋଇଯାଇଥିଲା। ଭୁବନେଶ୍ୱରସ୍ଥିତ ଜଗନ୍ନାଥ ହସ୍ପିଟାଲରେ ୧୦ଦିନ ଭେଣ୍ଟିଲେଟରରେ ରହିଥିଲେ। ଆବଶ୍ୟକ ଚିକିତ୍ସା ପରେ ଶିଶୁଟି କରୋନାକୁ ହରାଇବା ସହ ସୁସ୍ଥ ହୋଇଥିବା ଜଣାପଡିଛି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଅନ୍ୟ ଶିଶୁ ଓ ଚିକିତ୍ସକଙ୍କ ପାଇଁ ସାହସ ଯୋଗାଇଛି।
କଳାହାଣ୍ଡି ଜିଲା ମଦନପୁର-ରାମପୁରର ଅଙ୍କିତ ଅଗ୍ରୱାଲଙ୍କ ସ୍ତ୍ରୀ ପ୍ରୀତି ଛତିଶଗଡ଼ ରାୟପୁରରେ ଈଶାନୀଙ୍କୁ ଜନ୍ମଦେଇଥିଲେ। ଡାକ୍ତରଖାନାରୁ ଫେରିବା ପରେ ପରିବାରର ସମସ୍ତ ସଦସ୍ୟ ଅସୁସ୍ଥ ହୋଇପଡ଼ିବାରୁ ଟେଷ୍ଟ କରିଥିଲେ। ରିପୋର୍ଟ ପଜିଟିଭ୍‌ ଆସିବାରୁ ସମସ୍ତଙ୍କୁ ଭବାନୀପାଟଣାସ୍ଥିତ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ୨୫ ଦିନର ଶିଶୁକନ୍ୟା ଈଶାନୀଙ୍କର ମଧ୍ୟ କରୋନା ପରୀକ୍ଷା ହୋଇଥିଲା ଓ ରିପୋର୍ଟ ପଜିଟିଭ୍‌ ବାହାରିଥିଲା। ଈଶାନୀଙ୍କ ସମେତ ବାପା ଓ ଜେଜେଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରରେ ଏକ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଜେଜେଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ଗୁରୁତର ହେବାରୁ ତାଙ୍କୁ ହାଇଦ୍ରାବାଦକୁ ଏୟାରଲିଫ୍ଟ କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଗଲା। ଏହା ଭିତରେ ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ମଧ୍ୟ ବିଗିଡିବାରେ ଲାଗିଥିଲା। ନିଃଶ୍ୱାସ ପ୍ରଶ୍ୱାସ ନେଇପାରୁ ନ ଥିବାରୁ ତାଙ୍କୁ ଗତ ଏପ୍ରିଲ ୧୮ରେ ଜଗନ୍ନାଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରଥମ ୧୦ଦିନ ଭେଣ୍ଟିଲେଟରରେ ରଖାଯାଇଥିଲା। ତାଙ୍କର ଚିକିତ୍ସା କରୁଥିଲେ ଡା. ଅରିଜିତ୍‌ ମହାପାତ୍ର। ସେ କୁହନ୍ତି, ଶିଶୁଟିକୁ ବିପଦମୁକ୍ତ କରାଇବା ବଡ଼ ଚ୍ୟାଲେଞ୍ଜ ଥିଲା। ମା’-ବାପାଙ୍କ ଅନୁମତିରେ ରେମ୍‌ଡେସିଭିର୍‌ ଓ ଷ୍ଟିରଏଡ୍‌ ଦିଆଯାଇଥିଲା। ଛୋଟ ପିଲାଙ୍କୁ ଏସବୁ ଔଷଧ ଦେବା ସରକାରୀ ଅନୁମତି ନ ଥିଲେ ମଧ୍ୟ ଜରୁରିକାଳୀନ ପରିସ୍ଥିତିରେ ଜୀବନ ବଞ୍ଚାଇବା ପାଇଁ ଆମେ ଏହାକୁ ବ୍ୟବହାର କରିଥିଲୁ। ଭେଣ୍ଟିଲେଟରରେ ଥିବା ଅବସ୍ଥାରେ ପିଲାଟି ଧୀରେ ଧୀରେ ସୁସ୍ଥ ହେବା ସହ ମା’ କ୍ଷୀର ଖାଇଥିଲା। ପ୍ରାୟ ତିନି ସପ୍ତାହ ଚିକିତ୍ସା ପରେ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇଛି। ଡାକ୍ତରୀ ଦଳର ପ୍ରୟାସ ଓ ସର୍ବୋପରି ଭଗବାନଙ୍କ ଆଶୀର୍ବାଦ ଯୋଗୁ ଏଥିରେ ଆମେ ସଫଳତା ପାଇଲୁ ବୋଲି ଡା. ମହାପାତ୍ର କହିଛନ୍ତି।
ସେହିପରି ଆଉଜଣେ ମାସକର ଶିଶୁ ମଧ୍ୟ କରୋନାକୁ ହରାଇଛି। ସେ ହେଲେ କଟକ ଜିଲା ତ୍ରିଶୁଳିଆ ଅଞ୍ଚଳର ସାଇ ସମ୍ପୂର୍ଣ୍ଣା। କରୋନରେ ଆକ୍ରାନ୍ତ ହୋଇ ଗତ ୭ ତାରିଖରେ ଜଗନ୍ନାଥ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଶିଶୁଟିର ମା’ କରୋନାରେ ଆକ୍ରାନ୍ତ ହୋଇଥିଲା। ଯଦିଓ ଶିଶୁର ସ୍ବାସ୍ଥ୍ୟ ସେତେଟା ଗୁରୁତର ନ ଥିଲେ ମଧ୍ୟ ଭେଣ୍ଟିଲେଟରର ଆବଶ୍ୟକତା ରହିଥିଲା। ୩ଦିନ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେବା ପରେ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଡା. ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri