ନୂଆଦିଲ୍ଲୀ, ୨୨।୮: ଏକାଧିକ ଦୀର୍ଘକାଳୀନ ଶାରୀରିକ ବା ମାନସିକ ସ୍ବାସ୍ଥ୍ୟ ସମସ୍ୟା ନେଇ ଗର୍ଭଧାରଣ ଆରମ୍ଭ କରିବା ଦ୍ୱାରା ଗର୍ଭପାତ ହୋବର ଆଶଙ୍କା ୨୦ପ୍ରତିଶତ ଏବଂ ପ୍ରବଳ ବାନ୍ତି ତଥା ଅଇ ଲାଗିବା ସମସ୍ୟା ୬୯ପ୍ରତିଶତ ଅଧିକ ହୋଇପାରେ ବୋଲି ଏକ ନୂତନ ଗବେଷଣାରୁ ଜଣାପଡ଼ିଛି। ‘ଦି ଲାଞ୍ଚେଟ୍ ପବ୍ଲିକ୍ ହେଲ୍ଥ’ ଜର୍ନାଲରେ ପ୍ରକାଶିତ ଏହି ତଥ୍ୟରୁ ଜଣାପଡ଼ିଛି ଯେ ଯେଉଁ ମହିଳାମାନେ ପୂର୍ବରୁ ଦୁଇଟି ବା ଅଧିକ ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଗର୍ଭବତୀ ସେମାନଙ୍କର ଚିନ୍ତା ଏବଂ ଅବସାଦ ରହିବାର ଆଶଙ୍କା ଚାରିଗୁଣ ଅଧିକ ରହିଥାଏ।
କିଙ୍ଗସ୍ କଲେଜ ଲଣ୍ଡନର ଗବେଷକମାନଙ୍କ ଦ୍ୱାରା ପରିଚାଳିତ ଏହି ଅଧ୍ୟୟନରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେଉଁମାନଙ୍କର ଏକାଧିକ ଦୀର୍ଘକାଳୀନ ସମସ୍ୟା ଥାଏ, ସେମାନଙ୍କଠାରେ ଶିରା ମଧ୍ୟରେ ରକ୍ତ ଜମାଟର ଆଶଙ୍କା ଦୁଇଗୁଣରୁ ଅଧିକ ଏବଂ ପ୍ରି-ଏକ୍ଲାମ୍ପସିଆର(ଗର୍ଭାବସ୍ଥାରେ ଅଧିକ ରକ୍ତଚାପ) ଆଶଙ୍କା ୪୨ ପ୍ରତିଶତ ଅଧିକ ଥାଏ। ଯାହାକି ଏହି ସାଧାରଣ ମହିଳାଙ୍କ ତୁଳନାରେ ଅଧିକ।
ପ୍ରତ୍ୟେକ ଅତିରିକ୍ତ ସ୍ବାସ୍ଥ୍ୟଗତ ସମସ୍ୟା ଜଟିଳତାର ଆଶଙ୍କାକୁ ବଢ଼ାଇଥାଏ, ଯେପରିକି କୌଣସି ଦୀର୍ଘକାଳୀନ ସମସ୍ୟା ନଥିବା ମହିଳାଙ୍କ ତୁଳନାରେ ତିୋଟି ବା ତତୋଧିକ ସମସ୍ୟା ଥିବା ମହିଳାଙ୍କଠାରେ ଶିରା ମଧ୍ୟରେ ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ତିନିଗୁଣ ଅଧିକ ଥାଏ।
କିଙ୍ଗସ କଲେଜ ଲଣ୍ଡନର ଜନସ୍ବାସ୍ଥ୍ୟ ଏବଂ ସ୍ବାସ୍ଥ୍ୟ ତଥ୍ୟ ବିଜ୍ଞାନର କ୍ଲିନିକାଲ ପ୍ରଫେସର ତଥା ଏହି ଅଧ୍ୟନର ମୁଖ୍ୟ ଲେଖକ କୃଷ୍ଣରାଜା ନିରନ୍ତରାକୁମାର କହିଛନ୍ତି ଏହି ଫଳାଫଳଗୁଡ଼ିକ ଏକାଧିକ ଦୀର୍ଘକାଳୀନ ସ୍ବାସ୍ଥ୍ୟ ସମସ୍ୟାକୁ ଏକ ସ୍ବତନ୍ତ୍ର ଜଣାଶୁଣା ବିପଦ ଭାବେ ଗ୍ରହଣ କରିବା ପାଇଁ ଏକ ଦୃଢ଼ ଯୁକ୍ତି ଦିଏ। ଏହାର ଅର୍ଥ ହେଲା ପ୍ରସବ ପଞ୍ଜୀକରଣ ସମୟରେ ଏହିପରି ମହିଳାମାନଙ୍କୁ ଚିହ୍ନଟ କରିବା, ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ଆବଶ୍ୟକତାକୁ ଏକାଠି ଆକଳନ କରିବା ଏବଂ ସେମାନଙ୍କୁ ପ୍ରସୂତି, ପ୍ରାଥମିକ ସ୍ବାସ୍ଥ୍ୟସେବା ଏବଂ ମାନସିକ ସ୍ବାସ୍ଥ୍ୟ ସେବା ଯୋଗାଇବା।
ସେ ଆହୁରି ମଧ୍ୟ କହିଛନ୍ତି, ଗର୍ଭାବସ୍ଥା ପୂର୍ବର ଚିନ୍ତା ଏବଂ ଅବସାଦର ପ୍ରାୟ ଚାରିଗୁଣ ଆଶଙ୍କା ବିଶେଷ ଭାବରେ ଚିନ୍ତାଜନକ ଅଟେ, ଏବଂ ଏହା ପ୍ରସବକାଳୀନ ମାନସିକ ସ୍ବାସ୍ଥ୍ୟ ସହାୟତାକୁ ଏକ ଜରୁରୀ ଅଗ୍ରାଧିକାର ଭାବରେ ସୂଚିତ କରେ।
ଗବେଷକମାନେ ଇଂଲଣ୍ଡ, ସ୍କଟଲ୍ୟାଣ୍ଡ, ଓ୍ବେଲ୍ସ ଏବଂ ଉତ୍ତର ଆୟର୍ଲାଣ୍ଡକୁ ପାଞ୍ଚଟି ତଥ୍ୟଭୂମିରୁ ୨୦୦୦ରୁ ୨୦୨୨ ମଧ୍ୟରେ ରେକର୍ଡ କରାଯାଇଥିବା ୨.୨ ନିୟୁତରୁ ଅଧିକ ଗର୍ଭଧାରଣ ଏବଂ ପ୍ରସବ ଘଟଣାକୁ ବିଶ୍ଳେଷଣ କରିଥିଲେ। ଏକାଧିକ ଦୀର୍ଘକାଳୀନ ସ୍ବାସ୍ଥ୍ୟ ସମସ୍ୟା ଥିବା ମହିଳାମାନଙ୍କଠାରେ ଅତ୍ୟଧିକ ବାନ୍ତି, ଗର୍ଭାବସ୍ଥାଜନିତ ମଧୁମେହ, ଗର୍ଭାବସ୍ଥାଜନିତ ଉଚ୍ଚ ରକ୍ତଚାପ, ପ୍ରି-ଏକ୍ଳାମ୍ପସିଆ, ପ୍ରସୂତି କୋଲେଷ୍ଟାସିସ୍, ପ୍ଲାସେଣ୍ଟା ବିଚ୍ଛିନ୍ନତା, ଶିରା ମଧ୍ୟରେ ରକ୍ତ ଜମାଟ, ଗର୍ଭପାତ, ଚିନ୍ତା ଏବଂ ଅବସାଦ ଆଶଙ୍କ ବୃଦ୍ଧି ପାଇଥିଲା ବୋଲି ଅଥର କହିଛନ୍ତି।