ହରିଣଙ୍କ ସ୍ବାସ୍ଥ୍ୟ ପ୍ରଭାବିତ ହେବା ଆଶଙ୍କା

କଟକ ଅଫିସ,୨୫ା୪: କଟକ ମହାନଗର ନିଗମ (ସିଏମ୍‌ସି) ଅନ୍ତର୍ଗତ ତୁଳସୀପୁର ବିଜୁ ପଟ୍ଟନାୟକ ରୋଡ୍‌ର ମହାନଦୀ ବନ୍ଧ ସନ୍ନିକଟରେ ଡିଅର ପାର୍କ ଅବସ୍ଥିତ। ଏହି ପାର୍କରେ ସ୍ବଳ୍ପ ସ୍ଥାନରେ ୨୫୦ରୁ ଅଧିକ ହରିଣ ରହିଛନ୍ତି। ପ୍ରତ୍ୟେକ ଦିନ ଏଠାକୁ ହରିଣ ଦେଖିବା ପାଇଁ ବହୁ ଲୋକ ଆସୁଛନ୍ତି। ସେମାନେ ଖୁସିରେ ହରିଣମାନଙ୍କୁ ବିଭିନ୍ନ ପ୍ରକାର ଖାଦ୍ୟ ଦେଉଛନ୍ତି। ତେବେ ଏହାଦ୍ୱାରା ହରିଣମାନଙ୍କ ସ୍ବାସ୍ଥ୍ୟବସ୍ଥା ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି।
ଜଙ୍ଗଲରେ ହରିଣମାନେ ବୁଲି ବୁଲି ନିଜ ଆବଶ୍ୟକତା ଅନୁସାରେ ଖାଦ୍ୟ ଖାଇଥାନ୍ତି। ତେବେ ଉକ୍ତ ପାର୍କରେ ହରିଣଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ପୁଷ୍ଟିକର ଖାଦ୍ୟ ଦିଆଯାଏ। ଖାଦ୍ୟରେ ଫଳ, ପନିପରିବା ସହ ବିଭିନ୍ନ ଶସ୍ୟ ସାମିଲ ଥାଏ। ହରିଣମାନଙ୍କ ଖାଦ୍ୟ ଓ ରକ୍ଷଣାବେକ୍ଷଣ ବାବଦରେ ସିଏମ୍‌ସି ପକ୍ଷରୁ ବର୍ଷକୁ ୫୧,୫୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଏହାସତ୍ତ୍ୱେ ମେସାନଙ୍କ ସ୍ବାସ୍ଥ୍ୟ ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଉ ନ ଥିବା ଅଭିଯୋଗ ହେଉଛି। ନଦୀ ବନ୍ଧ ଦେଇ ଯାଇଥିବା ରାସ୍ତାପାର୍ଶ୍ୱରେ ଲୋକେ ଅଟକିଯାଇ ହରିଣ ଦେଖିଥାନ୍ତି। ବିସ୍କୁଟ୍‌ ଏବଂ ଅନ୍ୟ ଖାଦ୍ୟ କିଣି ସେମାନଙ୍କୁ ଦେଇଥାନ୍ତି। ତେବେ ସେଠାରେ ଏହି ଲୋକଙ୍କୁ ରୋକିବା ପାଇଁ ସୁରକ୍ଷାକର୍ମୀ ନାହାନ୍ତି। କୌଣସି ସୂଚନା ଫଳକ ମଧ୍ୟ ନାହିଁ। ପାର୍କ ଚାରିପଟେ ତାରଜାଲି ଗୁଡ଼ାଯାଇଛି, କିନ୍ତୁ ତାହା ନାମକୁ ମାତ୍ର। ଖାଦ୍ୟ ଲୋଭରେ ହରିଣମାନେ ଜାଲି ନିକଟକୁ ଚାଲିଆସିଥାନ୍ତି। ରାସ୍ତାରେ ଛିଡ଼ା ହୋଇ ଲୋକେ ଖାଦ୍ୟ ଜାଲି ମଧ୍ୟକୁ ବିସ୍କୁଟ ଫିଙ୍ଗିଥାନ୍ତି। ହରିଣମାନେ ସେହି ଖାଦ୍ୟ ଖାଇ ବେଳେବେଳେ ଅସୁସ୍ଥ ହୋଇପଡ଼ିଥାନ୍ତି ବୋଲି ଅଭିଯୋଗ ଶୁଣିବାକୁ ମିଳେ। ସେହିପରି ଏହି ପାର୍କରେ କମ୍‌ ସ୍ଥାନରେ ମାତ୍ରାଧିକ ହରିଣ ରହୁଛନ୍ତି। ପାର୍କ ସ୍ଥାନାନ୍ତରଣ ହେବା ନେଇ ୪ବର୍ଷ ହେଲା କୁହାଯାଉଛି। ମାତ୍ର ପଦକ୍ଷେପ ନିଆଯାଉନାହିଁ। ୧୯୮୧ ମସିହାରେ ୫ଟି ହରିଣକୁ ନେଇ ପ୍ରାୟ ଅଢେଇ ଏକର ଜମିରେ ଗଢିଉଠିଥିବା ଏହି ପାର୍କ ଅବସ୍ଥା ଦୟନୀୟ ଅବସ୍ଥାରେ ପହଞ୍ଚିଲାଣି। ଏନେଇ ସାମାଜିକ କର୍ମୀ ଈଶ୍ୱର ମହାନ୍ତି କହିଛନ୍ତି, ହରିଣଙ୍କୁ ବାହାର ଖାଦ୍ୟ ଦେବା ଦ୍ୱାରା ସେମାନଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡ଼ିପାରେ। ଏଥିପାଇଁ ଲୋକେ ସଚେତନ ହେବା ଆବଶ୍ୟକ। ସେହିପରି ଲୋକଙ୍କୁ ବାରଣ କରିବା ପାଇଁ ସେଠାରେ ସୁରକ୍ଷା କର୍ମୀ ନିୟୋଜନ ସହ ସୂଚନା ଫଳକ ଲଗାଯିବାର ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ ଏ ନେଇ ଡିଅର ପାର୍କ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।