ଭଞ୍ଜନଗର,୨୭।୧୦(ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବର ପ୍ରଭାବ ଭଞ୍ଜନଗର ଅଞ୍ଚଳରେ ଧୀରେ ଧୀରେ ଅନୁଭୂତ ହେବାରେ ଲାଗିଛି। ମଙ୍ଗଳବାର ସକାଳୁ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି। ବୁଧବାର ଓ ଗୁରୁବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ବିପଦ ଆଶଙ୍କା ଥିବା ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଥିବା ବେଳେ ଅନେକ ଗର୍ଭବତୀ ମହିଳାଙ୍କୁ ମଧ୍ୟ ଚିକିତ୍ସା ପାଇଁ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି।
ଲଗାଣ ବର୍ଷା ଯୋଗୁ ଜଳସମ୍ପଦ ବିଭାଗ ଅଧୀନରେ ଥିବା ଜଳଭଣ୍ଡାରଗୁଡ଼ିକ ଉପରେ ଚାପ ବଢ଼ିବାର ଆଶଙ୍କା ରହିଛି। ମଙ୍ଗଳବାର ସକାଳ ସୁଦ୍ଧା ଭଞ୍ଜନଗର ଜଳଭଣ୍ଡାରରେ ୮୧ ପ୍ରତିଶତ ଜଳ ମହଜୁଦ ଥିବାବେଳେ ଡହ ଜଳଭଣ୍ଡାରରେ ୬୬ ପ୍ରତିଶତ, ବାଘୁଆରେ ୬୮ ପ୍ରତିଶତ ଏବଂ ସୋରଡ଼ା ଜଳଭଣ୍ଡାରରେ ୮୮ ପ୍ରତିଶତ ଜଳ ରହିଛି। କନ୍ଧମାଳ ଜିଲ୍ଲାରେ ଅଧିକ ବର୍ଷା ହେଲେ ଭଞ୍ଜନଗର ଅଞ୍ଚଳର ଜଳଭଣ୍ଡାରଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ବୋଲି ଜଳସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସଞ୍ଜୟ ପ୍ରଧାନ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ପ୍ରତି କିଛି ଘଣ୍ଟା ବ୍ୟବଧାନରେ ପରିସ୍ଥିତିର ସମୀକ୍ଷା କରୁଛନ୍ତି। ବର୍ଷାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଗଞ୍ଜାମ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରହିଛି। ବୁଧବାର ଓ ଗୁରୁବାର ମଧ୍ୟ ଏଗୁଡ଼ିକ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି। ବାତ୍ୟାର ମୁକାବିଲା ପାଇଁ ଭଞ୍ଜନଗର ଦମକଳ ବାହିନୀ ସମେତ ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି।
ମଙ୍ଗଳବାର ସକାଳ ସୁଦ୍ଧା ଜଳଭଣ୍ଡାରଗୁଡ଼ିକରୁ ଜଳ ନିଷ୍କାସନ କରାଯାଇନାହିଁ। ଦିନ ୧୧ଟା ପରେ ଜଳଭଣ୍ଡାରଗୁଡ଼ିକୁ କେତେ ପରିମାଣର ଜଳ ପ୍ରବେଶ କରୁଛି। ତାହାର ସମୀକ୍ଷା କରିବା ପରେ ଆବଶ୍ୟକତା ଅନୁଯାୟୀ ଜଳ ନିଷ୍କାସନ କରିବାକୁ ଯୋଜନା ରହିଥିବା ଜଣେ ଯନ୍ତ୍ରୀ ସୂଚନା ଦେଇଛନ୍ତି।