ବେଜିଂରେ ପୁଣି କରୋନା ସଂକ୍ରମଣ ବଢ଼ିବା ଆଶଙ୍କା, ସତର୍କ ସୂଚନା ଜାରି…

ବେଜିଂ, ୧୨।୬ : ଚାଇନାରେ କରୋନା ମହାମାରୀ ସଂକ୍ରମଣ ଆଶଙ୍କା ପୁଣି ଥରେ ବୃଦ୍ଧି ପାଇଛି। ବିଶେଷ କରି ଅଧିକାରୀମାନେ ରାଜଧାନୀ ବେଜିଂ ଏବଂ ସାଂଘାଇକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବେଜିଂରେ କରୋନା ସଂକ୍ରମଣ ବଢ଼ିବା ଆଶଙ୍କା ଦେଖାଦେଇଛି। ଏକ ବାର୍‌ରୁ ସଂକ୍ରମଣ ବ୍ୟାପିବା ଆରମ୍ଭ କରିଛି। ଏଠାରେ ସଂକ୍ରମଣର ୬୧ ଟି ନୂଆ ମାମଲା ଚିହ୍ନଟ ହୋଇଛି। ଅପରପକ୍ଷରେ, ସାଂଘାଇରେ ନୂତନ ମାମଲା ଆସିବା ପରେ କରୋନା ପରୀକ୍ଷା ଏକ ବଡ଼ ଆକାରରେ କରାଯାଉଛି ।

ବେଜିଂର ଅତି କମରେ ଦୁଇଟି ଜିଲାରେ କଡା ପ୍ରତିବନ୍ଧକ ଘୋଷଣା କରାଯାଇଛି। ଏଥିରେ ବହୁ ଜନସଂଖ୍ୟା ବିଶିଷ୍ଟ ଚାୟାଙ୍ଗ ଅନ୍ତର୍ଭୁକ୍ତ। ସହରଟି ରାତ୍ରି କାଳୀନ କିଣାବିକା ଏବଂ ଶପିଂ ପାଇଁ ପ୍ରସିଦ୍ଧ । କିନ୍ତୁ କରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ଏହାର ବହୁ ମଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଶନିବାର ଅପରାହ୍ନ ୩ ଟା ସୁଦ୍ଧା ରାଜଧାନୀ ବେଜିଂରେ ୪୬ ଟି ନୂଆ ମାମଲା ପଞ୍ଜିକୃତ ହୋଇଛି। ସ୍ବାସ୍ଥ୍ୟ ଅଧିକାରୀ ଲିୟୁ ଜିଆଓଫେଙ୍ଗ କହିଛନ୍ତି ଯେ ସମସ୍ତ ମାମଲା ଉପରେ ନଜର ରଖାଯାଇଛି।

ସାଂଘାଇରେ ଘର ଘର ବୁଲି ଟେଷ୍ଟ କରାଯିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଏଠାରେ ପ୍ରାୟ ୨୫ ନିୟୁତ ଲୋକଙ୍କ କୋଭିଡ ପରୀକ୍ଷା ପାଇଁ ସରକାର ଘୋଷଣା କରିଛନ୍ତି। ଏହି ସପ୍ତାହ ଶେଷରେ ସାଂଘାଇର ୧୬ ଟି ଜିଲାର ବାସିନ୍ଦାଙ୍କ ପାଇଁ ଅଧିକାରୀମାନେ ଆରଟି-ପିସିଆର୍‌ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷା ଶେଷ ନହେବା ପର୍ଯ୍ୟନ୍ତ ସମସ୍ତ ଲୋକଙ୍କୁ ନିଜ ଘରେ ରହିବାକୁ କୁହାଯାଇଛି।

Share