Categories: ଜାତୀୟ

ଏଲପିଜି ସିଲିଣ୍ଡର ଦାମ୍‌ ବୃଦ୍ଧି, ସୋସିଆଲ ମିଡ଼ିଆରେ ମୋଦିଙ୍କ ପୁରୁଣା ଭିଡ଼ିଓ ଭାଇରାଲ…

ନୂଆଦିଲ୍ଲୀ, ୯।୫ : ଦେଶରେ ଦରଦାମ୍‌ ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ପେଟ୍ରୋଲ ଏବଂ ଡିଜେଲ ପରେ ଏବେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କ ପକେଟକୁ ଖାଲକରିି ଦେଇଛି। ରୋଷେଇ ଘରେ ମହଙ୍ଗାମାଡ଼ ଯୋଗୁ ଏହାର ବଜେଟ ଆହୁରି ବୃଦ୍ଧି ପାଇଛି। ଏଲପିଜି ମୂଲ୍ୟରେ ବୃଦ୍ଧି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ମୋଦି ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଦେଶରେ ବଢୁଥିବା ଦରଦାମ୍‌ ପାଇଁ ସମାଲୋଚନା କରୁଥିବା ଦେଖିବାକୁ ମିଳୁଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ମୋଦି କହୁଛନ୍ତି ଯେ, ଭୋଟ ଦେବା ପୂର୍ବରୁ ଘରେ ରଖାଯାଇଥିବା ଗ୍ୟାସ ସିଲିଣ୍ଡରକୁ ହାତ ଯୋଡ଼ି ପ୍ରଣାମ କରିବା ଆବଶ୍ୟକ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି ହେଉଛି ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ସମୟର। ପ୍ରଧାନମନ୍ତ୍ରୀ ମୋଦି ଭିଡ଼ିଓରେ କହୁଛନ୍ତି କଂଗ୍ରେସ ସରକାର କହିଥିଲେ ଯେ ପ୍ରତ୍ୟେକ ପରିବାରକୁ ଗୋଟିଏ ବର୍ଷରେ ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ଗ୍ୟାସ ସିଲିଣ୍ଡର ଦିଆଯିବ ଏବଂ ଯେଉଁମାନେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ସିଲିଣ୍ଡର ଚାହୁଁଛନ୍ତି ସେମାନଙ୍କୁ ଅଧିକ ଅର୍ଥ ଦେବାକୁ ପଡ଼ିବ ।

ଏହି ଭିଡିଓରେ ମୋଦି ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଟାର୍ଗେଟ କରି କହିଛନ୍ତି ଯେ କଂଗ୍ରେସ ସରକାର ଲୋକଙ୍କଠାରୂ ଗ୍ୟାସ ସିଲିଣ୍ଡର ଛଡ଼ାଇ ନେଇଛନ୍ତି ଏବଂ ଗ୍ୟାସ ସିଲିଣ୍ଡରକୁ ମହଙ୍ଗା କରିଛନ୍ତି। ସୋସିଆଲ ମିଡିଆରେ ମୋଦିଙ୍କ ଏହି ଭିଡିଓକୁ ନେଇ ଲୋକେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି।

ଭାଇରାଲ ଭିଡିଓରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଟାର୍ଗେଟ କରାଯାଇଛି। ଭାଇରାଲ ଭିଡିଓରେ ଦେଶର ଦରଦାମ୍‌ ବୃଦ୍ଧି ସମ୍ପର୍କରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଯଦି ଆପଣମାନେ ଦରଦାମ୍‌ ବୃଦ୍ଧି ଯୋଗୁ ମରୁଛନ୍ତି, ଏହା ଆପଣଙ୍କ ଭାଗ୍ୟ, ୟୁପିଏ ସରକାର ଏଥିପ୍ରତି ଦୃଷ୍ଟି ଦେଉ ନାହାଁନ୍ତି।

ସୂଚନା ଯୋଗ୍ୟ, ୭ ମେ’ରେ କେନ୍ଦ୍ର ସରକାର ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରିଛନ୍ତି।

Share