Categories: ଜାତୀୟ

ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପାଇଁ ତାଲିବାନକୁ ଦାୟୀ କଲେ ଭାଜପା ବିଧାୟକ

ନୂଆଦିଲ୍ଲୀ,୫।୯: କିଛ ଦିନ ହେଲା ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଛି। ଅନେକ ସହରରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ହୋଇଛି। ଡିଜେଲ ମଧ୍ୟ ମହଙ୍ଗା ହୋଇଛି। ଏଥିସହ କର୍ନାଟକର ଭାଜପା ବିଧାୟକ ଅରବିନ୍ଦ ବେଲାଡ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଁ ତାଲିବାନକୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ, ତାଲିବାନମାନେ ଆଫଗାନିସ୍ତାନ ଦଖଲ କରିବା ପରେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ଯୋଗାଣ ହ୍ରାସ ପାଇଛି। ଫଳରେ ଏହାର ମୂଲ୍ୟ ବୃଦ୍ଧି ପାଇଛି। ଅରବିନ୍ଦ ଆହୁରି ମଧ୍ୟ କହିଛନ୍ତି ଯେ, ଆଫଗାନିସ୍ତାନରେ ତାଲିବାନ ପ୍ରସଙ୍ଗ ଆରମ୍ଭ ହେବା ଦିନଠାରୁ ସାରା ବିଶ୍ୱରେ ପେଟ୍ରୋଲ ଏବଂ ଡିଜେଲ ଯୋଗାଣ ହ୍ରାସ ପାଇଛି। ଏହି କାରଣରୁ ଦେଶରେ ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସର ମୂଲ୍ୟରେ ବୃଦ୍ଧି ଘଟିଛି।
ରବିବାର ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୧.୩୪ ଟଙ୍କା ରହିଛି। ଏଥି ସହିତ ଡିଜେଲର ମୂଲ୍ୟ ଲିଟର ପିଛା ୮୮.୭୭ ଟଙ୍କା ରହିଛି। ରବିବାର ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୭.୩୯ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୬.୩୩ ଟଙ୍କା ରହିଛି।

Share