ପରମ୍ପରାର ମହକରେ ମହକିଲା ରିଷିଡ଼ା, ଧୁମ୍‌ଧାମ୍‌ରେ ପାଳିତ ହେଲା ବୋଇତ ବନ୍ଦାଣ

ରିଷିଡ଼ା, ୨୪/୧୧ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡ଼ାଠାରେ ଶ୍ରୀଶ୍ରୀ ରାମଚନ୍ଦ୍ର ସ୍ୱାମୀ ଗ୍ରାମ୍ୟ ସମିତି ତୈଳିକ ବଳଦିଆ ବୈଶ୍ୟ ସମାଜ ପକ୍ଷରୁ ପବିତ୍ର ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।

ଉତ୍କଳର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ଓ ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଉଜ୍ଜୀବିତ ରଖିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଉତ୍ସବରେ ସମାଜର ବହୁ ସଦସ୍ୟ, ମହିଳା ଓ ଯୁବକ ଉତ୍ସାହର ସହ ସାମିଲ ହୋଇଥିଲେ। ସନ୍ଧ୍ୟାରେ ଏକ ନଗର ପରିକ୍ରମା କରାଯାଇଥିବା ବେଳେ ରାତିରେ ଧଣ୍ଡାମାଳ, ବଲାଙ୍ଗୀରର ରାମଲୀଳା ନାଟକ ଦଳ ପକ୍ଷରୁ ନାଟକ ପରିବେଷଣ କରାଯାଇଥିଲା।

ପରଦିନ ଭୋର ସମୟରେ ପାରମ୍ପରିକ ରୀତିନୀତି ଓ ପୂଜାର୍ଚ୍ଚନା ପରେ ନିକଟସ୍ଥ ପୋଖରୀରେ ବୋଇତ ଡଙ୍ଗା ଭସା ଯାଇଥିଲା। ଶଙ୍ଖ ଓ ଘଣ୍ଟଧ୍ୱନିରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା।

ଏହି ଅବସରରେ ସମାଜର ଏକତା, ପରମ୍ପରା ଓ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଉତ୍ସବକୁ ସଫଳ କରିବାରେ  ରାମଚନ୍ଦ୍ର ସ୍ୱାମୀ ଗ୍ରାମ୍ୟ ସମିତି ତୈଳିକ ବଳଦିଆ ବୈଶ୍ୟ ସମାଜର ସଭାପତି ଅନ୍ତର୍ଯ୍ୟାମୀ ସାହୁ, ସମ୍ପାଦକ ପଦ୍ମକିଶୋର ସାହୁଙ୍କ ସମେତ ପ୍ରମୋଦ କୁମାର ସାହୁ, ଦୁଃଖିମଣି ସାହୁ, ଅଭିମନ୍ୟୁ ସାହୁ, ପୀତବାସ ସାହୁ, ଲକ୍ଷ୍ମୀକାନ୍ତ ସାହୁ, ଦୂର୍ଯ୍ୟ, ବିମଳ, କେଦାର, ଅଜିତ, ରଞ୍ଜନ, ଭୋଳା, ବସୁ ଓ ଅକ୍ଷୟ ପ୍ରମୁଖ କର୍ମକର୍ତ୍ତା ସକ୍ରିୟ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily

Share