ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ ପାଣି ଜମି ରହୁଛି। ଡ୍ରେନେଜ ବ୍ୟବସ୍ଥାର ଅଭାବ ଏବଂ ରାସ୍ତା ମରାମତି ଅଭାବରୁ ଯାତ୍ରୀ ଓ ସ୍ଥାନୀୟ ବାସିନ୍ଦା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ପ୍ରତିଦିନ ଏହି ବସ୍ଷ୍ଟାଣ୍ଡ ଦେଇ ଭବାନୀପାଟଣା, ବଲାଙ୍ଗୀର, କେସିଙ୍ଗା ଓ ମଦନପୁର ରାମପୁର ଆଦି ସ୍ଥାନକୁ ଶହ ଶହ ଯାତ୍ରୀ ଯାତାୟାତ କରନ୍ତି। ମାତ୍ର ବସଷ୍ଟାଣ୍ଡ ପରିସର ପାଣିକାଦୁଅରେ ପରିପୂର୍ଣ୍ଣ ହୋଇଥିବାରୁ ଯାତ୍ରୀମାନେ ବସ୍ରେ ଚଢ଼ିବା କିମ୍ବା ଓହ୍ଲାଇବା ସମୟରେ ହଇରାଣ ହେଉଛନ୍ତି।
ଅନେକ ସମୟରେ ବୃଦ୍ଧ, ମହିଳା ଓ ଛୋଟ ପିଲାମାନେ ଗୋଡ଼ ଖସି ତଳେ ପଡ଼ି ଆହତ ହେଉଛନ୍ତି। ଦୀର୍ଘଦିନ ଧରି ପାଣି ଜମି ରହିବାରୁ ମଶାମାଛି ବଂଶ ବୃଦ୍ଧି ପାଇ ଡେଙ୍ଗୁ ଓ ମ୍ୟାଲେରିଆ ଭଳି ରୋଗ ବ୍ୟାପିବା ଆଶଙ୍କା ଦେଖାଦେଇଛି।
ସେହିପରି ବସ୍ଷ୍ଟାଣ୍ଡ ଉପରେ ନିର୍ଭର କରୁଥିବା ଉଠାଦୋକାନୀ ଓ ଅନ୍ୟ ବ୍ୟବସାୟୀଙ୍କ ବ୍ୟବସାୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ବାରମ୍ବାର ପଞ୍ଚାୟତ ଓ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି ସ୍ଥାୟୀ ସମାଧାନ କରାଯାଉ ନାହିଁ। ତୁରନ୍ତ ଡ୍ରେନେଜ ବ୍ୟବସ୍ଥା ସହ ବସ୍ଷ୍ଟାଣ୍ଡ ରାସ୍ତାର କଂକ୍ରିଟ କିମ୍ବା ପିଚୁ କରା ନ ଗଲେ ରାସ୍ତାରୋକୋ କରିବାକୁ ସ୍ଥାନୀୟ ଜନସାଧାରଣ ଚେତାବନୀ ଦେଇଛନ୍ତି।