ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ସୁନକ: ରୁଷିଆ କହିଲା…

ଲଣ୍ଡନ/କିଭ୍‌,୨୬।୧୦: ବ୍ରିଟେନର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଋଷି ସୁନକ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ସହ ବାର୍ତ୍ତାଳାପ କରିଛନ୍ତି। ଏହି ବାର୍ତ୍ତାଳାପରେ ସେ ୟୁକ୍ରେନର ଲୋକଙ୍କ ପାଇଁ ବ୍ରିଟେନର ଏକତା ଏବଂ ସମର୍ଥନ ବିଷୟରେ କହିଛନ୍ତି। ବୁଧବାର ଏନେଇ ସୁନକ ଟୁଇଟ କରି ସୂଚନା ଦେଇଛନ୍ତି। ଉକ୍ତ ଟୁଇଟରେ ସେ ଉଲ୍ଲେଖ କରିଛନ୍ତି ଯେ, ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହେବା ଏକ ସୌଭାଗ୍ୟର ବିଷୟ। ୟୁକ୍ରେନର ଲୋକମାନେ ବ୍ରିଟେନର ନିରନ୍ତର ଏକତା ଏବଂ ସମର୍ଥନ ଉପରେ ଭରସା କରିପାରିବେ। ବ୍ରିଟେନ ସବୁବେଳେ ୟୁକ୍ରେନ ସହ ରହିଛି ବୋଲି ସୁନକ କହିଛନ୍ତି। ଅନ୍ୟପଟେ ଏହାକୁ ନେଇ ବର୍ତ୍ତମାନ ରୁଷିଆ କ୍ଷୋଭ ପ୍ରକାଶ କରିଛି। ଦୁଇ ଦେଶ ମଧ୍ୟରେ ଆଲୋଚନା ପରେ ରୁଷିଆର ଏକ ବୟାନ ସାମ୍ନାକୁ ଆସିଛି। ବର୍ତ୍ତମାନ ବ୍ରିଟେନ ସହ ଭଲ ସମ୍ପର୍କ ହେବାର କୌଣସି ଆଶା ନାହିଁ ବୋଲି ରୁଷିଆର ମୁଖପାତ୍ର ଡିମିଟ୍ରି ପେସ୍‌କଭ୍‌ କହିଛନ୍ତି। ରୁଷିଆର ଏହି ବୟାନ ଜେଲେନସ୍କି ଏବଂ ସୁନକଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ପରେ ଆସିଛି।

Share