Categories: ଖେଳ

୬ ବର୍ଷ ପରେ ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ଏହି ଅଲରାଉଣ୍ଡର, ବଢ଼ିଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୨୬।୧: ଆସନ୍ତା ମାସରୁ ଘରୋଇ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ। ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଫେବୃୟାରୀ ୬ରୁ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଏବଂ ସମାନ ସଂଖ୍ୟକ ଟି୨୦ ସିରିଜ ଖେଳାଯିବ। ଆହତ ହେବା ଯୋଗୁ ଦକ୍ଷିଣ ଆଫ୍ରିକା ଗସ୍ତରୁ ବାଦ୍‌ ପଡ଼ିଥିବା ହିଟ୍‌ମ୍ୟାନ୍‌ ତଥା ଅଧିନାୟକ ରୋହିତ ଶର୍ମା ସୀମିତ ଓଭରରେ ଭାରତର ନେତୃତ୍ୱ ନେବେ। ଏହାଛଡ଼ା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖରାପ ପ୍ରଦର୍ଶନ କରିଥିବା ହେତୁ ଭାରତୀୟ ଦଳରେ କିଛି ପରିବର୍ତ୍ତନ ହେବା ନେଇ ଆଶା କରାଯାଉଛି।

ଏକ ରିପୋର୍ଟ ଅନୁଯାୟୀ, ୩୨ ବର୍ଷୀୟ ଅଲରାଉଣ୍ଡର ଋଷି ଧାଓ୍ବନ ପୁଣିଥରେ ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି। ଅନେକ ଖେଳାଳି ଦଳରୁ ବାହାରୁଥିବା ଯୋଗୁ ଋଷିଙ୍କୁ ଜାତୀୟ ଦଳରେ ସ୍ଥାନ ମିଳିପାରେ। ସେ ୨୦୧୬ରେ ମେଲବୋର୍ନରେ ଏମ୍‌ଏସ୍‌ ଧୋନୀଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁ କରିଥିଲେ। ସେ ଶେଷ ଥର ପାଇଁ ସେହି ବର୍ଷ ଜୁନ୍‌ରେ ଜିମ୍ବାଓ୍ବେ ବିପକ୍ଷରେ ଭାରତ ପାଇଁ ଖେଳିଥିଲେ। ହିମାଚଳ ପ୍ରଦେଶରେ ଜନ୍ମଗ୍ରହଣ କରିଥିବା ଏହି କ୍ରିକେଟର ଏଯାବତ ଭାରତ ପାଇଁ ୩ ଦିନିକିଆ ଏବଂ ୧ ଟି-୨୦ ମ୍ୟାଚ୍‌ ଖେଳିଛନ୍ତି।

୨୦୨୧/୨୨ ବିଜୟ ହଜାରେ ଟ୍ରଫିରେ ଋଷି ଚମତ୍କାର ପ୍ରଦର୍ଶନ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ତାଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇପାରେ ବୋଲି କୁହାଯାଉଛି।

Share