ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ ଖେଳୁଥିବା ପନ୍ତ ବ୍ୟାଟିଂରେ ବିଶେଷ ପ୍ରଭାବ ପକାଇପାରି ନ ଥିଲେ। ତେବେ ତାଙ୍କ ଆଉଟକୁ ନେଇ ଅମ୍ପାୟରଙ୍କ ସହ ହୋଇଥିବା ଯୁକ୍ତିତର୍କ ଚର୍ଚ୍ଚାର ବିଷୟ ପାଲଟିଛି।
ଜମ୍ମୁ-କଶ୍ମୀର ବିପକ୍ଷ ପ୍ରଥମ ଇନିଂସରେ ପନ୍ତ ୩୬ଟି ବଲ୍ରୁ ମାତ୍ର ୧ଟି ଚୌକା ସହ ୧୦ ରନ କରି ଆଉଟ ହୋଇଥିଲେ। ତେବେ ବ୍ୟାଟିଂ ସମୟରେ ସେ ପପିଂ କ୍ରିଜ୍ଠାରୁ ପ୍ରାୟ ୧ରୁ ୧.୫ ଫୁଟ ବାହାରେ ଛିଡ଼ା ହୋଇ ଷ୍ଟାନ୍ସ ନେବା ଅମ୍ପାୟରଙ୍କ ନଜରକୁ ଆସିଥିଲା। ଦ୍ରୁତ ବୋଲରଙ୍କ ବିପକ୍ଷରେ ବ୍ୟାଟରମାନେ ଅନେକ ସମୟରେ କ୍ରିଜ୍ଠାରୁ ସାମାନ୍ୟ ବାହାରକୁ ଆସି ଷ୍ଟାନ୍ସ ନେଇଥାନ୍ତି। ଏହା ଦ୍ୱାରା ବୋଲରଙ୍କ ସ୍ବିଙ୍ଗ ଓ ୟର୍କରର ପ୍ରଭାବ କମାଇବା ସହ ତାଙ୍କୁ ନିଜ ଲେଙ୍ଗ୍ଥ ପରିବର୍ତ୍ତନ କରିବାକୁ ବାଧ୍ୟ କରାଯାଇପାରେ।
ଘର ଘର ବୁଲି କ୍ଷୀର ବିକୁଥିଲେ ନିତେଶ: ଏବେ ୬୪ ବର୍ଷର ଇତିହାସ ବଦଳାଇଦେଲେ ନିତେଶ
ତେବେ ପନ୍ତ ସାଧାରଣ ଷ୍ଟାନ୍ସ ତୁଳନାରେ ଅଧିକ ବାହାରକୁ ଆସିଥିବାରୁ ଅମ୍ପାୟର ତାଙ୍କୁ ଏଭଳି ନ କରିବାକୁ କହିଥିଲେ। ଏହାକୁ ନେଇ ପନ୍ତ ଓ ଅମ୍ପାୟରଙ୍କ ମଧ୍ୟରେ ପିଚ୍ରେ କିଛି ସମୟ ଧରି ଯୁକ୍ତିତର୍କ ହୋଇଥିଲା। ଘଟଣାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି।
ଅମ୍ପାୟରଙ୍କ ହସ୍ତକ୍ଷେପ ପରେ ଶେଷରେ ପନ୍ତଙ୍କୁ ତାଙ୍କ ନିର୍ଦ୍ଦେଶ ମାନିବାକୁ ପଡ଼ିଥିଲା। ଏହାର କିଛି ସମୟ ପରେ ଜମ୍ମୁ-କଶ୍ମୀରର ଦ୍ରୁତ ବୋଲର ଉମର ନଜିରଙ୍କ ଏକ ସଠିକ ବଲ୍ରେ ପନ୍ତ କ୍ୟାଚ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ।
ପନ୍ତଙ୍କ ଶୀଘ୍ର ଆଉଟ ପରେ ରେଷ୍ଟ ଅଫ ଇଣ୍ଡିଆର ପ୍ରଥମ ଇନିଂସ ୨୩୭ ରନ୍ରେ ସୀମିତ ରହିଥିଲା। ସ୍ମରଣ ରବିଚନ୍ଦ୍ରନ ସର୍ବାଧିକ ୬୮ ରନ କରିଥିବା ବେଳେ ଶିଖର ମୋହନ ୬୦ ରନ୍ର ଉପଯୋଗୀ ପାଳି ଖେଳିଥିଲେ। ଏହି ଦୁଇଜଣଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ବଡ଼ ସ୍କୋର କରିପାରି ନ ଥିଲେ।
ଅନ୍ୟପକ୍ଷରେ, ଦିନର ଖେଳ ଶେଷ ସୁଦ୍ଧା ଜମ୍ମୁ-କଶ୍ମୀର ମଧ୍ୟ ୨୧ ରନ୍ରେ ୨ଟି ଉଇକେଟ ହରାଇଥିଲା। ଫଳରେ ମ୍ୟାଚ୍ର ପ୍ରଥମ ଦିନ ଉଭୟ ଦଳ ପାଇଁ ଉତ୍ଥାନ-ପତନରେ ଭରି ରହିଥିଲା।