IPL 2027 ପୂର୍ବରୁ ରିଷଭ ପନ୍ତଙ୍କୁ ବଡ଼ ଝଟ୍‌କା, ଦିଲ୍ଲୀ କ୍ୟାପିଟାଲ୍ସରେ ମିଳିବନି ଏହି ଦାୟିତ୍ୱ!

ନୂଆଦିଲ୍ଲୀ,୯।୧୦: ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିବା ପରେ ରିଷଭ ପନ୍ତଙ୍କ ବ୍ୟାଟିଂ ପୋଜିସନକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। IPL 2027ରେ ପନ୍ତଙ୍କୁ ଟପ୍ ଅର୍ଡରରେ ବ୍ୟାଟିଂ କରୁଥିବା ଦେଖିବାକୁ ଆଶା ରଖିଥିବା ପ୍ରଶଂସକଙ୍କୁ ନିରାଶ ହେବାକୁ ପଡ଼ିପାରେ । ଦଳର ନୂଆ ମୁଖ୍ୟ କୋଚ୍ ସୌରଭ ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି ଯେ, ପନ୍ତଙ୍କୁ ମିଡିଲ୍ ଅର୍ଡରରେ ଖେଳାଇବାକୁ ଯୋଜନା ରହିଛି ।

ଦିଲ୍ଲୀ କ୍ୟାପିଟାଲ୍ସର ଏକ ଭିଡିଓରେ ଗାଙ୍ଗୁଲି ପନ୍ତଙ୍କ ବ୍ୟାଟିଂ ଭୂମିକାକୁ ନେଇ ନିଜର ଯୋଜନା ବିଷୟରେ କହିଛନ୍ତି । ଦଳକୁ ମିଡିଲ୍ ଅର୍ଡରରେ ଜଣେ ଭଲ ବ୍ୟାଟରଙ୍କ ଆବଶ୍ୟକତା ଥିବାବେଳେ ପନ୍ତ ଏହି ଭୂମିକା ପାଇଁ ଉପଯୁକ୍ତ ବୋଲି ସେ କହିଛନ୍ତି । ଦିଲ୍ଲୀକୁ ଫେରିବା ପରେ ପନ୍ତଙ୍କୁ ନିଜ ଖେଳରେ ଉନ୍ନତି ଆଣିବା ପାଇଁ ପର୍ଯ୍ୟାପ୍ତ ସମୟ ଓ ମ୍ୟାଚ୍ ମିଳିବ ବୋଲି ଗାଙ୍ଗୁଲି ଆଶା ପ୍ରକାଶ କରିଛନ୍ତି।

IPL 2027ରେ ଋଷଭ ପନ୍ତଙ୍କୁ ୪ କିମ୍ବା ୫ ନମ୍ବରରେ ବ୍ୟାଟିଂ କରିବାକୁ ପଠାଯାଇପାରେ । ଏହି ଦୁଇଟି ସ୍ଥାନରେ ସେ ପୂର୍ବରୁ ମଧ୍ୟ ଖେଳିସାରିଛନ୍ତି । ଅନ୍ୟପଟେ, ଦିଲ୍ଲୀ ଦଳରେ କେଏଲ୍ ରାହୁଲଙ୍କ ଭଳି ଜଣେ ଓପନର ଥିବାରୁ ପନ୍ତଙ୍କୁ ଟପ୍ ଅର୍ଡର ପରିବର୍ତ୍ତେ ମିଡିଲ୍ ଅର୍ଡରରେ ଖେଳାଇବାର ସମ୍ଭାବନା ଅଧିକ। ଦିଲ୍ଲୀ କ୍ୟାପିଟାଲ୍ସ ଛାଡ଼ିବା ପରେ ପନ୍ତ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ର ଅଧିନାୟକ ହୋଇଥିଲେ। ସେଠାରେ ସେ ଟପ୍ ଅର୍ଡରରେ ବ୍ୟାଟିଂ କରିବାକୁ ଚାହୁଁଥିଲେ ମଧ୍ୟ ତାଙ୍କୁ ସେହି ଭୂମିକା ମିଳିନଥିଲା। ଏହା ପରେ ଦଳ ପାଇଁ ତାଙ୍କ ପ୍ରଦର୍ଶନ ମଧ୍ୟ ଆଶାନୁରୂପ ରହିନଥିଲା। ଲକ୍ଷ୍ନୌ ପାଇଁ ଦୁଇଟି ସିଜନ୍‌ରେ ୨୬ଟି ଇନିଂସ୍‌ରୁ ସେ ୫୮୧ ରନ୍ କରିଥିଲେ।

ରିଷଭ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ସର୍ବାଧିକ ରନ୍ କରିଥିବା ବ୍ୟାଟର। ଦଳ ପକ୍ଷରୁ ୧୧୧ଟି ମ୍ୟାଚ୍ ଖେଳି ସେ ୩,୨୮୪ ରନ୍ ସଂଗ୍ରହ କରିଛନ୍ତି। ଏବେ ପୁଣି ଦିଲ୍ଲୀକୁ ଫେରିବା ପରେ ମିଡିଲ୍ ଅର୍ଡରରେ ନିଜର ପୁରୁଣା ଭୂମିକା ତାଙ୍କୁ ଫର୍ମକୁ ଫେରିବାରେ ସାହାଯ୍ୟ କରିବ ବୋଲି ଗାଙ୍ଗୁଲି ଆଶା ରଖିଛନ୍ତି । ପନ୍ତ ଓ କୁଲଦୀପ ଯାଦବଙ୍କ ମଧ୍ୟରେ ଟ୍ରେଡ୍‌ ପରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିଛନ୍ତି ପନ୍ତ । ତାଙ୍କୁ ୧୫ କୋଟି ଟଙ୍କାର ସଂଶୋଧିତ ଫି’ରେ ଦଳକୁ ଫେରାଇ ଅଣାଯାଇଛି।

 

Dharitri – Odisha’s No.1 Odia Daily

Share