Categories: ଖେଳ

ରିଷଭ ପନ୍ତକୁ କରାଯିବ ମୁମ୍ବାଇ ସ୍ଥାନାନ୍ତର

ମୁମ୍ବାଇ,୪।୧: ଡିସେମ୍ବର ୩୦ରେ ଏକ କାର ଦୁର୍ଘଟଣାରେ ଭାରତୀୟ କ୍ରିକେଟ ଦଳର ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଗୁରୁତର ଆହତ ହୋଇଥିଲେ। ସେ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଉନ୍ନତ ଚିକିତ୍ସା ପାଇଁ ପନ୍ତକୁ ମୁମ୍ବାଇ ସ୍ଥାନାନ୍ତର କରାଯିବ। ଏଠାରେ ତାଙ୍କର ଲିଗାମେଣ୍ଟ ଚିକିତ୍ସା କରାଯିବ। ଡିଡିସିଏ ସଭାପତି ଏହି ସୂଚନା ଦେଇଛନ୍ତି।
ଡିଡିସିଏ ସଭାପତି ଶ୍ୟାମ ଶର୍ମାଙ୍କ ଅନୁଯାୟୀ ପନ୍ତଙ୍କୁ ଅଧିକ ଚିକିତ୍ସା ପାଇଁ ମୁମ୍ବାଇ ସ୍ଥାନାନ୍ତର କରାଯିବ। ସେ ଦିନକ ପୂର୍ବରୁ ପନ୍ତଙ୍କୁ ଭେଟିବା ପାଇଁ ଡେରାଡୁନରେ ପହଞ୍ଚିଥିଲେ। ପନ୍ତଙ୍କ ଲିଗାମେଣ୍ଟ ଚିକିତ୍ସା ପାଇଁ ମୁମ୍ବାଇକୁ ନିଆଯିବ। ଲିଗାମେଣ୍ଟ ହେଉଛି ଏକ ପ୍ରକାର ଫାଇବର ଯାହା ହାଡକୁ ସଂଯୋଗ କରିବା ପାଇଁ କାମ କରେ। ଯଦି ଆଘାତ ଗଭୀର, ତେବେ ସୁସ୍ଥ ହେବାକୁ ସମୟ ଲାଗେ। ବର୍ତ୍ତମାନ, ପନ୍ତଙ୍କ ଆଘାତର ଗମ୍ଭୀରତା ଉପରେ ଡିଡିସିଏ ଏବଂ ବିସିସିଆଇ ନଜର ରଖିଛନ୍ତି ।
ଖ୍ରୀଷ୍ଟମାସ ପାଳନ କରିବା ପରେ ଦୁବାଇରୁ ଫେରିଥିବା ପନ୍ତ ୩୦ ଡିସେମ୍ବରରେ ନିଜ ମା’ଙ୍କୁ ଭେଟିବା ପାଇଁ ରୁରକୀ ଯାଉଥିଲେ। ତାଙ୍କ କାର ଏକ ଡିଭାଇଡରକୁ ଧକ୍କା ଦେବା ପରେ ଗାଡିରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ପନ୍ତ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ଚିକିତ୍ସା ପାଇଁ ରୁର୍‌କୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତା’ପରେ ପନ୍ତଙ୍କୁ ଉନ୍ନତ ଚିକିତ୍ସା ପାଇଁ ଡେରାଡୁନର ମ୍ୟାକ୍ସ ହସ୍ପିଟାଲକୁ ରେଫର୍‌ କରାଯାଇଥିଲା।

Share