Categories: ଖେଳ

ଭାବପ୍ରବଣ ଭିଡିଓ ଶେୟାର କଲେ ରିଷଭ ପନ୍ତ

ନୂଆଦିଲ୍ଲୀ,୧୫।୩: କାର ଦୁର୍ଘଟଣା ପରେ ଭାରତର ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରରେ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟରେ ନିରନ୍ତର ଉନ୍ନତି ଆସୁଛି। ପନ୍ତ ଆଗାମୀ ଆଇପିଏଲରେ ଖେଳିବ ନାହିଁ। ତାଙ୍କର ପ୍ରତ୍ୟାବର୍ତ୍ତନ ଆଉ ପାଞ୍ଚରୁ ଛଅ ମାସ ନେଇପାରେ। ପନ୍ତ ତାଙ୍କ ଫିଟନେସ ବିଷୟରେ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କୁ ଅପଡେଟ କରିଥାନ୍ତି। ନିକଟରେ ସେ ଇନଷ୍ଟାଗ୍ରାମରେ ଏକ ଭାବପ୍ରବଣ ଭିଡିଓ ଶେୟାର କରିଛନ୍ତି।
ଭିଡିଓରେ ସେ ଏକ ସ୍‌ୁଇମିଂ ପୁଲ୍‌ରେ ଏକ ବାଡି ସାହାଯ୍ୟରେ ଚାଲୁଥିବାର ଦେଖାଯାଇଛି। ଭିଡିଓ ଶେୟାର କରି ପନ୍ତ କ୍ୟାପସନରେ ଲେଖିଛନ୍ତି, ଛୋଟ ଛୋଟ ଜିନିଷ, ବଡ଼ ଜିନିଷ ଏବଂ ମଧ୍ୟରେ ଥିବା ପ୍ରତ୍ୟେକ ଜିନିଷ ପାଇଁ କୃତଜ୍ଞ। ପ୍ରଶଂସକ ଏହି ଭିଡିଓ ଦେଖି ପନ୍ତଙ୍କୁ ପ୍ରଶଂସା କରିଛନ୍ତି। ଏହାସହ କିଛି ୟୁଜର୍ସ ତାଙ୍କ ସାହସକୁ ସଲାମ କରିଛନ୍ତି।
ଗତ ବର୍ଷ ଡିସେମ୍ବର ୩୦ରେ ପନ୍ତ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କ କାର ରୁର୍‌କୀ ନିକଟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହି ଦୁର୍ଘଟଣାରେ ପନ୍ତ ଗୁରୁତର ଆହତ ହୋଇଥିଲେ। ପ୍ରାରମ୍ଭିକ ଚିକିତ୍ସା ପରେ ତାଙ୍କୁ ମୁମ୍ବାଇ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସା ପରେ ସେ ଘରେ ଅଛନ୍ତି।

Share