Categories: ଖେଳ

ରାଗିଗଲେ ସର୍ବଦା ଶାନ୍ତ ରହୁଥିବା ପନ୍ତ; କହିଲେ ‘ଆମେ ହାରିବା ଯୋଗ୍ୟ’

ଦୁବାଇ,୯।୧୦: ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ଶାନ୍ତ ଖେଳାଳି ଭାବେ ଜଣାଶୁଣା। ତାଙ୍କ ମୁହଁରେ ସବୁବେଳେ ହସ ଥାଏ। କିନ୍ତୁ ଶୁକ୍ରବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଶେଷ ଓଭରରେ ଦିଲ୍ଲୀ ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲା। ଶେଷ ବଲ୍‌ରେ ଶ୍ରୀକର ଭରତ ଛକା ମାରି ଦଳକୁ ବିଜେତା କରିଥିଲେ। ଏହାକୁ ନେଇ କ୍ରୋଧିତ ହୋଇଯାଇଥିଲେ ପନ୍ତ।

ମ୍ୟାଚ୍‌ ପରେ ପ୍ରତିକ୍ରିୟା ରଖି ପନ୍ତ କହିଛନ୍ତି, ଖେଳାଳିମାନେ ମାକ୍ସଓ୍ବେଲଙ୍କ ଦୁଇଟି କ୍ୟାଚ୍‌ ଡ୍ରପ୍‌ କରିଥିଲେ। ଫଳରେ ସେ ୩୩ ବଲ୍‌ରୁ ୫୧ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଟି-୨୦ରେ ଫିଲ୍ଡିଂ ବହୁତ ଗୁରୁତ୍ୱପୂର୍ଣ୍ଣ। ଯଦି ଆଜି ଭଳି ଫିଲ୍ଡିଂ କରୁଛ, ତେବେ ତୁମେ ହାରିବାକୁ ଯୋଗ୍ୟ। ବ୍ୟାଟିଂ ବେଳେ ମଧ୍ୟ ଅନେକ ଉଇକେଟ ହରାଇଥିଲା ବୋଲି ପନ୍ତ କହିଛନ୍ତି।

ଏହାଛଡ଼ା ଆଗାମୀ ଦିନରେ ଆମକୁ ଭଲ ଫିଲ୍ଡିଂ କରିବାକୁ ହେବ। କାକର ପଡ଼ିଥିବା ହେତୁ ଦ୍ରୁତ ବୋଲରଙ୍କ ପାଇଁ କଷ୍ଟକର ଥିଲା। କିନ୍ତୁ ଫିଲ୍ଡରମାନଙ୍କୁ ବୋଲିଂ ଟିମ୍‌କୁ ସମର୍ଥନ କରିବାର ଆବଶ୍ୟକତା ଥିଲା। ଏଭଳି ମ୍ୟାଚ୍‌ ଜିତିବାକୁ ଚାହୁଁଥିଲୁ। ସେଥିପାଇଁ ଭଲ ଲାଗୁନାହିଁ ବୋଲି ପନ୍ତ ମଧ୍ୟ କହିଥିଲେ।

Share