ଦ୍ୱିତୀୟ ଟେଷ୍ଟ ପୂର୍ବରୁ ନ୍ୟୁଜିଲାଣ୍ଡରେ ଲୋକାଲ୍‌ ମ୍ୟାଚ୍‌ ଖେଳିଲେ ପନ୍ତ, ୨୧ ବଲ୍‌ରେ ପିଟିଲେ ୫୪ ରନ୍‌

ନୂଆଦିଲ୍ଲୀ,୨୬।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଜବରଦସ୍ତ ଫର୍ମରେ ନଜର ଆସିଛନ୍ତି ଭାରତୀୟ ଷ୍ଟାର ବ୍ୟାଟର ଋଷଭ ପନ୍ତ । ନଭେମ୍ବର ୨୭ରୁ କ୍ରାଇଷ୍ଟଚର୍ଚ୍ଚରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍‌ ପୂର୍ବରୁ ସେ ଏକ ଲୋକାଲ୍‌ କ୍ରିକେଟ୍‌ ମ୍ୟାଚ୍‌ ଖେଳି ଧମାକାଦାର ବ୍ୟାଟିଂ କରିଛନ୍ତି । ତେବେ ଏହି ମ୍ୟାଚ୍‌ରେ ସେ ନିଜ ପରିଚିତ ନାଁ ବଦଳରେ ‘ଷ୍ଟାନ୍‌ ଷ୍ଟାନ୍‌’ ନାମରେ ଖେଳିଥିବା ଖବର ଏବେ ଚର୍ଚ୍ଚାରେ ରହିଛି।

ସେଣ୍ଟ୍ରାଲ୍‌ କ୍ରାଇଷ୍ଟଚର୍ଚ୍ଚର ହାଗ୍‌ଲି ପାର୍କରେ ଓପନ୍‌ ହାଉସ୍‌ ସ୍ୱିଙ୍ଗର୍ସ ଏବଂ ଦି ଚୋଜନ୍‌ ୱାନ୍ସ ମଧ୍ୟରେ ଏକ ‘ଲାଷ୍ଟ ମ୍ୟାନ୍‌ ଷ୍ଟାଣ୍ଡ୍ସ’ ମ୍ୟାଚ୍‌ ଖେଳାଯାଇଥିଲା। ଏଥିରେ ଋଷଭ ପନ୍ତ ଓପନ୍‌ ହାଉସ୍‌ ସ୍ୱିଙ୍ଗର୍ସ ପକ୍ଷରୁ ଖେଳି ମାତ୍ର ୨୧ଟି ବଲ୍‌ରେ ୫୪ ରନ୍‌ ସଂଗ୍ରହ କରିଥିଲେ । ତାଙ୍କର ଆକ୍ରମଣାତ୍ମକ ବ୍ୟାଟିଂରେ ଦର୍ଶକ ମଧ୍ୟ ଉତ୍ସାହିତ ହୋଇଥିଲେ। ଓପନ୍‌ ହାଉସ୍‌ ସ୍ୱିଙ୍ଗର୍ସ ଦଳର ଅଧିନାୟକ ମହମ୍ମଦ ସଫି ନ୍ୟୁଜିଲାଣ୍ଡ ହେରାଲ୍ଡକୁ କହିଛନ୍ତି ଯେ, ତାଙ୍କର ଋଷଭ ପନ୍ତଙ୍କ ସହ ହଠାତ୍‌ ଦେଖା ହୋଇଥିଲା। ପନ୍ତ ଏକ ଇଲେକ୍ଟ୍ରିକ୍‌ ବାଇକ୍‌ରେ ବୁଲୁଥିବା ବେଳେ ସଫି ତାଙ୍କୁ ଅଟକାଇ କଥା ହୋଇଥିଲେ। ପରେ କିଛି ଫଟୋ ଉଠାଇବାକୁ ଡାକିବା ସହ ତାଙ୍କୁ ଲୋକାଲ୍‌ ମ୍ୟାଚ୍‌ ଖେଳିବାକୁ ପ୍ରସ୍ତାବ ଦେଇଥିଲେ। ପନ୍ତ ଏଥିରେ ରାଜି ହୋଇ ଖେଳିବାକୁ ପଡ଼ିଆକୁ ଓହ୍ଲାଇଥିଲେ।

ସଫିଙ୍କ କହିବା ଅନୁସାରେ, ପନ୍ତ ପ୍ୟାଡ୍‌ ପିନ୍ଧି ବ୍ୟାଟିଂ କରିବାକୁ ଆସିଥିଲେ ଏବଂ କିଛି ଚମତ୍କାର ଛକା ମାରିଥିଲେ  । ପ୍ରତିପକ୍ଷ ଦଳର ଖେଳାଳିମାନେ ପ୍ରଥମେ ତାଙ୍କୁ ଚିହ୍ନିପାରି ନଥିଲେ । ମ୍ୟାଚ୍‌ ସମୟରେ ପନ୍ତ ସଫିଙ୍କୁ ସିଙ୍ଗଲ୍‌ ନେବାକୁ କହୁଥିଲେ। ସଫି ଲମ୍ବା ଛକା ମାରିବା ପରେ ପନ୍ତ ତାଙ୍କୁ ମଧ୍ୟ ଛକା ମାରିବା ଶିଖାଇବେ ବୋଲି କହିଥିଲେ।

ଉଲ୍ଲେଖଯୋଗ୍ୟ, ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ମଧ୍ୟ ଋଷଭ ପନ୍ତ ଦମ୍‌ଦାର ବ୍ୟାଟିଂ କରିଥିଲେ। ୱେଲିଂଟନ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ସେ ୧୫୩ଟି ବଲ୍‌ରୁ ୧୨୮ ରନ୍‌ କରିଥିଲେ। ଏଥିରେ ୧୦ଟି ଚୌକା ଓ ୬ଟି ଛକା ସାମିଲ ଥିଲା। ୮୩.୬୬ ଷ୍ଟ୍ରାଇକ୍‌ ରେଟ୍‌ରେ ବ୍ୟାଟିଂ କରିଥିବା ପନ୍ତ ଧୀର ଆରମ୍ଭ ପରେ ଆକ୍ରମଣାତ୍ମକ ଖେଳ ଦେଖାଇଥିଲେ। ଏବେ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଲୋକାଲ୍‌ ମ୍ୟାଚ୍‌ରେ ତାଙ୍କର ଏହି ବ୍ୟାଟିଂ ଭାରତୀୟ ଦଳ ପାଇଁ ଉତ୍ସାହଜନକ ଖବର ଭାବେ ଦେଖାଯାଉଛି।

 

Dharitri – Odisha’s No.1 Odia Daily

Share