Categories: ଖେଳ

ଦ୍ରାବିଡ୍‌-ଧୋନୀଙ୍କୁ ପଛରେ ପକାଇଲେ ପନ୍ତ, ନିଜ ନାମରେ କଲେ ଏହି ରେକର୍ଡ

ପାର୍ଲ,୨୧।୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶୁକ୍ରବାର ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ଭାରତୀୟ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ଉଲ୍ଲେଖନୀୟ ବ୍ୟାଟିଂ କରିଛନ୍ତି। ପନ୍ତ ତାଙ୍କ ଇନିଂସରେ ୧୦ ଚୌକା ଏବଂ ୨ ଛକା ସହ ୭୧ ବଲ୍‌ରେ ୮୫ ରନ୍‌ କରିଛନ୍ତି। ତେବେ ନିଜର ଦିନିକିଆ କ୍ୟାରିୟରର ପ୍ରଥମ ଶତକ କରିବାରୁ ପନ୍ତ ବଞ୍ଚିତ ହୋଇଥିଲେ ହେଁ ପୁଣି ଏକ ରେକର୍ଡ ନିଜ ନାମରେ କରିନେଇଛନ୍ତି।

ପନ୍ତ ଦକ୍ଷିଣ ଆଫ୍ରିକାରେ ଉଇକେଟକିପର ଭାବେ ସର୍ବାଧିକ ରନ୍‌ କରିବାର ରେକର୍ଡ କରିଛନ୍ତି। ପୂର୍ବରୁ ଟିମ୍‌ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ନାମରେ ଏହି ରେକର୍ଡ ଥିଲା। ୨୦୦୧ରେ ଦ୍ରାବିଡ୍‌ ଏଠାରେ ୭୭ରନ୍‌ କରିଥିଲେ। ସେହିଭଳି ୨୦୧୩ରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ୬୫ରନ୍‌ର ଇନିଂସ ଖେଳିଥିଲେ।

ଚଳିତ ଗସ୍ତରେ ଦକ୍ଷିଣ ଆଫ୍ରିକା ମାଟିରେ ଜଣେ ଭାରତୀୟ ଉଇକେଟକିପର ଭାବେ ଉଭୟ ଟେଷ୍ଟ ଏବଂ ଦିନିକିଆରେ ସର୍ବାଧିକ ରନ୍‌ କରିଥିବା ଭାରତୀୟ ଉଇକେଟ କିପର ଭାବେ ପନ୍ତ ରେକର୍ଡ କରିଛନ୍ତି। କେପ୍‌ଟାଉନ୍‌ରେ ଖେଳାଯାଇଥିବା ଟେଷ୍ଟରେ ପନ୍ତ ଅପରାଜିତ ୧୦୦* ସ୍କୋର କରିଥିଲେ। ଫଳରେ ସେ ଦକ୍ଷିଣ ଆଫ୍ରିକାରେ ଶତକ ହାସଲ କରିଥିବା ପ୍ରଥମ ଭାରତୀୟ ଉଇକେଟକିପର ହୋଇଥିଲେ।

Share