ୱେଲିଂଟନ,୧୯।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନ୍ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଟିମ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି। ଦିନର ତୃତୀୟ ସେସନ୍ରେ ପ୍ରସିଦ୍ଧ କ୍ରିଷ୍ଣାଙ୍କ ବୋଲିଂରେ ହେନରୀ ନିକୋଲସଙ୍କ ଏକ ସହଜ କ୍ୟାଚ ହାତଛଡ଼ା ହୋଇଥିଲା। ଏହି କ୍ୟାଚ୍ଟି ଉଇକେଟ୍କିପର ରିଷଭ ପନ୍ତଙ୍କ କଲ ଯୋଗୁ ଛାଡ଼ି ହୋଇଥିବା ଚର୍ଚ୍ଚା ହେଉଛି। ଏହା ପରେ ନିକୋଲସ ଶତକ ହାସଲ କରିବା ସହ ଗ୍ଲେନ ଫିଲିପ୍ସଙ୍କ ସହ ମିଶି ୧୭୩ ରନ୍ର ଭାଗୀଦାରି କରିଛନ୍ତି।
ଘଟଣାଟି ମ୍ୟାଚ୍ର ୭୪ତମ ଓଭରରେ ଘଟିଥିଲା। ପ୍ରସିଦ୍ଧ କ୍ରିଷ୍ଣାଙ୍କ ଏକ ବାଉନ୍ସରକୁ ନିକୋଲସ ପୁଲ ସଟ ଖେଳିଥିଲେ। ବଲ୍ଟି ବ୍ୟାଟ୍ର ଉପର ଧାରରେ ବାଜି ଉପରକୁ ଉଠିଥିଲା। କ୍ୟାଚ୍ଟି ସିଧା ଦେବଦତ୍ତ ପଡିକଲଙ୍କୁ ହାତକୁ ଯାଉଥିଲା। ହେଲେ ଏହି ସମୟରେ ପନ୍ତ ଦ୍ରୁତ ଗତିରେ ଆଗକୁ ଆସି କ୍ୟାଚ ଧରିବାକୁ କଲ ଦେଇଥିଲେ। ପରେ ସେ ହଠାତ୍ ଅଟକି ଯାଇଥିଲେ। ଏହା ଦେଖି ପଡିକଲ ମଧ୍ୟ ଅଟକି ଯାଇଥିଲେ ଏବଂ କ୍ୟାଚ୍ଟି ହାତଛଡ଼ା ହୋଇଥିଲା।
ସହଜ କ୍ୟାଚ ହାତଛଡ଼ା ହେବା ପରେ ପ୍ରସିଦ୍ଧ କ୍ରିଷ୍ଣା ନିରାଶ ହୋଇ ମୁହଁ ଲୁଚାଇଥିବା ବେଳେ ଅଧିନାୟକ ଶୁବମନ ଗିଲ ରାଗି ଯାଇଥିଲେ। ସେ ପଡିକଲଙ୍କ ଆଡ଼କୁ ଚାହିଁ ଚିତ୍କାର କରିଥିଲେ। ଅନ୍ୟପଟେ ପଡିକଲ ଓ ପନ୍ତ ପରସ୍ପରକୁ ଅସହାୟ ଭାବେ ଚାହିଁ ରହିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କ୍ୟାଚ ଛାଡ଼ିବାର ମୂଲ୍ୟ ଭାରତୀୟ ଦଳକୁ ଦେବାକୁ ପଡ଼ିପାରେ। କାରଣ ନିକୋଲସ ଏହା ପରେ ନିଜର ଶତକ ପୂରଣ କରିଥିବା ବେଳେ ଫିଲିପ୍ସଙ୍କ ସହ ମିଶି ଦଳକୁ ମଜଭୁତ ସ୍ଥିତିରେ ପହଞ୍ଚାଇଛନ୍ତି।
ପ୍ରଥମ ଦିନର ଆରମ୍ଭରେ ଭାରତୀୟ ବୋଲରମାନେ ଦମଦାର ପ୍ରଦର୍ଶନ କରିଥିଲେ। ଲଞ୍ଚ ସୁଦ୍ଧା ନ୍ୟୁଜିଲାଣ୍ଡ ୬୦ ରନ୍ରେ ୪ଟି ଉଇକେଟ ହରାଇଥିଲା। ଜଶପ୍ରୀତ ବୁମ୍ରା ଓ ଅଂଶୁଲ କାମ୍ବୋଜଙ୍କ ବୋଲିଂ ଭାରତକୁ ମ୍ୟାଚ୍ରେ ଆଗୁଆ କରିଥିଲା। ଲଞ୍ଚ ପରେ ଟମ ବ୍ଲଣ୍ଡେଲ ମଧ୍ୟ ଆଉଟ ହୋଇଥିଲେ। ଫଳରେ ନ୍ୟୁଜିଲାଣ୍ଡ ୭୦ ରନ୍ରେ ୫ଟି ଉଇକେଟ ହରାଇଥିଲା।
କିନ୍ତୁ ଏହା ପରେ ନିକୋଲସ ଓ ଫିଲିପ୍ସ ଭାରତୀୟ ବୋଲରଙ୍କୁ ନିରାଶ କରିଥିଲେ। ନିକୋଲସ୍ ନିଜ ଟେଷ୍ଟ କ୍ୟାରିୟରର ୧୨ତମ ଶତକ ହାସଲ କରିଥିବା ବେଳେ ଫିଲିପ୍ସ ୯୪ ରନ୍ରେ ଅପରାଜିତ ରହିଥିଲେ। ଫିଲିପ୍ସ ମଧ୍ୟ ନିଜର ଦ୍ୱିତୀୟ ଟେଷ୍ଟ ଶତକ ଆଡ଼କୁ ଅଗ୍ରସର ହେଉଛନ୍ତି। ଦିନର ଶେଷ ଭାଗରେ ନ୍ୟୁଜିଲାଣ୍ଡର ଏହି ଦମ୍ଦାର ପ୍ରତ୍ୟାବର୍ତ୍ତନ ଭାରତକୁ ଚାପରେ ପକାଇଛି।
🔴DEVDUTT PADIKKAL DROPS AN EASY CATCH, GILL ANGRY WITH HIM 🤦
– Prasidh Krishna bowled a bouncer to Henry Nicholls, which resulted in a catching opportunity for India.
– Padikkal & Pant both ran towards the ball. Padikkal called for the catch, saying it was his, but ended up dropping it.
– Gill was furious and shouted at him, while Pant also had something to say. 😒
— Sam (@cricsam02) November 19, 2026