ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ ୬୩ ରନର ଇନିଂସ ଖେଳି ଏମଏସ ଧୋନୀଙ୍କ ଏକ ଐତିହାସିକ ରେକର୍ଡ ଭାଙ୍ଗି ଦେଇଛନ୍ତି।
ପନ୍ତ ବିଦେଶୀ ମାଟିରେ ଟେଷ୍ଟ କ୍ରିକେଟରେ ୨,୫୦୦ ରନ ପୂରଣ କରିବାରେ ପ୍ରଥମ ଭାରତୀୟ ଉଇକେଟକିପର-ବ୍ୟାଟସମ୍ୟାନ ହୋଇଛନ୍ତି। ସେ କଲମ୍ବୋରେ ଶ୍ରୀଲଙ୍କା ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଏହି ମାଇଲଖୁଣ୍ଟ ହାସଲ କରିଥିଲେ। ଏହା ପୂର୍ବରୁ ଏମଏସ ଧୋନୀ ସର୍ବାଧିକ ରନ କରି ଉଇକେଟକିପରଙ୍କ ତାଲିକାରେ ଶୀର୍ଷରେ ଥିଲେ। ସେ ବିଦେଶ କିମ୍ବା ନିରପେକ୍ଷ ସ୍ଥାନରେ ମୋଟ ୨,୪୯୬ ରନ କରିଥିଲେ।
ପନ୍ତ ୪୨ ଆଭରେଜ୍ରେ ଏହି ରନ କରିଛନ୍ତି। ଧୋନୀ ୩୨.୮୪ ଆଭରେଜ୍ରେ ତାଙ୍କର ୨,୪୯୬ ରନ କରିଥିଲେ। ଭାରତୀୟ ଉଇକେଟକିପରଙ୍କ ଏହି ତାଲିକାରେ ଫାରୁକ ଇଞ୍ଜିନିୟର ୧,୨୦୯ ରନ ସହିତ ତୃତୀୟ ସ୍ଥାନରେ ଅଛନ୍ତି। ସୟଦ କିରମାନି ବିଦେଶୀ ପିଚ୍ରେ ୧,୧୦୯ ରନ ସହିତ ଚତୁର୍ଥ ସ୍ଥାନରେ ଅଛନ୍ତି।
ଭାରତର ୨୮ ବର୍ଷୀୟ ଷ୍ଟାର ବ୍ୟାଟ୍ସମ୍ୟାନ ପନ୍ତ କଲମ୍ବୋ ଟେଷ୍ଟର ପ୍ରଥମ ଦିନରେ ହାତରେ ଆଘାତ ଯୋଗୁ ଅବସର ନେବାକୁ ପଡ଼ିଥିଲା। ନ୍ସେ ଦ୍ୱିତୀୟ ଦିନରେ ଫେରି ଆସି ୬୩ ରନର ଏକ କମାଣ୍ଡିଂ ଇନିଂସ ଖେଳି ଶ୍ରୀଲଙ୍କା ବୋଲରମାନଙ୍କୁ ବହୁତ ଅସୁବିଧାରେ ପକାଇଥିଲେ। ସେ ଧ୍ରୁବ ଜୁରେଲଙ୍କ ସହିତ ୧୧୨ ରନର ପାର୍ଟନରସିପ କରିଥିଲେ।
ଧୋନୀ ତାଙ୍କ ୯୦ ମ୍ୟାଚ୍ର ଟେଷ୍ଟ କ୍ୟାରିୟରରେ ୪,୮୭୬ ରନ କରିଥିଲେ। ପନ୍ତ ୫୨ ଟେଷ୍ଟ ମ୍ୟାଚ୍ରେ ୩,୭୨୫ ରନ ସଂଗ୍ରହ କରିସାରିଛନ୍ତି। ଆଭରେଜ୍ ଦୃଷ୍ଟିରୁ ପନ୍ତ ଧୋନୀଙ୍କଠାରୁ ବହୁତ ଆଗରେ ଅଛନ୍ତି। ଧୋନୀ ତାଙ୍କ ଟେଷ୍ଟ କ୍ୟାରିୟରରେ ୬ଟି ଶତକ ଏବଂ ୩୩ଟି ଅର୍ଦ୍ଧଶତକ ମାରିଥିଲେ। ପନ୍ତ ପୂର୍ବରୁ ଭାରତ ପାଇଁ ସର୍ବାଧିକ ଟେଷ୍ଟ ଶତକ ହାସଲ କରିଥିବା ଉଇକେଟକିପର-ବ୍ୟାଟସମ୍ୟାନ ହୋଇସାରିଛନ୍ତି। ବର୍ତ୍ତମାନ ତାଙ୍କ ନାମରେ ୮ଟି ଶତକ ଏବଂ ୨୧ଟି ଅର୍ଦ୍ଧଶତକ ଅଛି।