Categories: ଖେଳ

ଗୋଟିଏ ବର୍ଷରେ କମାଲ୍‌ କରିଦେଲେ ରିଙ୍କୁ ସିଂ

ନୂଆଦିଲ୍ଲୀ,୨୯।୧୨: ଚଳିତ ବର୍ଷ କିଛି ଆକର୍ଷଣୀୟ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳାଯାଇଥିଲା। ଏଥିରେ ଅନେକ ଖେଳାଳି ଚମତ୍କାର ପ୍ରଦର୍ଶନ କରିଥିଲେ। ଚଳିତ ବର୍ଷ ଖେଳାଳିଙ୍କ ପ୍ରଦର୍ଶନକୁ ବିଚାର କରି ବିଶ୍ୱର କିଛି ବଛାବଛା କ୍ରିକେଟର୍‌ଙ୍କୁ ନେଇ ଟି-୨୦ ପ୍ଲେଇଙ୍ଗ-୧୧ ଚୟନ କରାଯାଇଥିଲା। ଏଥିରେ ପାଞ୍ଚ ଜଣ ଭାରତୀୟ ଖେଳାଳି ସୁଯୋଗ ପାଇଥିଲେ। ଚଳିତ ବର୍ଷ ଅନ୍ତର୍ଜାତୀୟ ଟି-୨୦ ଡେବ୍ୟୁ କରିଥିବା ଭାରତୀୟ ଖେଳାଳିଙ୍କ ମଧ୍ୟରେ ଶୁବମନ ଗିଲ, ରିଙ୍କୁ ସିଂ ଏବଂ ଯଶସ୍ବୀ ଜୟସ୍ବାଲ ଅଛନ୍ତି। ଏହା ବ୍ୟତୀତ ସୂର୍ଯ୍ୟ କୁମାର ଯାଦବ ଏବଂ ମହମ୍ମଦ ଶାମି ମଧ୍ୟ ଦଳର ଅଂଶ ଥିଲେ।
ଅନ୍ତର୍ଜାତୀୟ କ୍ୟାରିୟରର ଡେବ୍ୟୁ ବର୍ଷରେ ରିଙ୍କୁ ସିଂ ଚମତ୍କାର ପ୍ରଦର୍ଶନ କରିଥିଲେ। ପ୍ରଥମେରିଙ୍କୁ ଆଇପିଏଲ ୨୦୨୩ରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ତା’ପରେ ସେ ଅନ୍ତର୍ଜାତୀୟ କ୍ରିକେଟରେ ଫିନିସିଂ ଇନିଂସ ଖେଳିଥିଲେ। ରିଙ୍କୁ ସିଂ ଚଳିତ ବର୍ଷ ମୋଟ ୧୨ ଅନ୍ତର୍ଜାତୀୟ ଟି -୨୦ ମ୍ୟାଚ ଖେଳିଥିଲେ। ଏଥିରେ ସେ ହାରାହାରି ୬୫.୫୦ ଏବଂ ଷ୍ଟ୍ରାଇକ ରେଟ ୧୮୦.୬୮ରେ ୨୬୨ ରନ କରିଥିଲେ।
ଏହାପୂର୍ବରୁ ରିଙ୍କୁ ଆଇପିଏଲ ୨୦୨୩ରେ ଚମତ୍କାର କରିଥିଲେ। ୨୦୨୩ ଆଇପିଏଲରେ ରିଙ୍କୁ ୧୪ଟି ମ୍ୟାଚ୍‌ର ୧୪ଟି ଇନିଂସରେ ହାରାହାରି ୫୯.୨୫ ଏବଂ ଷ୍ଟ୍ରାଇକ ରେଟ ୧୪୯.୫୩ ରନ କରିଥିଲେ। ଏହି ଅବଧିରେ ସେ ୪ ଅର୍ଦ୍ଧଶତକ ହାସଲ କରିଥିଲେ।
‘ଷ୍ଟାର୍‌ ସ୍ପୋର୍ଟସ’ ୨୦୨୩ର ଟି୨୦ ଦଳ ଚୟନ କରିଛି। ଏହି ଦଳରେ ପାଞ୍ଚ ଜଣ ଭାରତୀୟ ଖେଳାଳିଙ୍କ ବ୍ୟତୀତ ପାକିସ୍ତାନର ୨ ଖେଳାଳି, ଅଷ୍ଟ୍ରେଲିଆର ୨ ଜଣ ଏବଂ ଆଫଗାନିସ୍ତାନ ଏବଂ ୱେଷ୍ଟଇଣ୍ଡିଜ୍‌ର ୧ ଜଣ ଖେଳାଳିଙ୍କୁ ଚୟନ କରାଯାଇଛି। ପାକିସ୍ତାନୀ ଖେଳାଳିଙ୍କ ମଧ୍ୟରେ ଇମାଦ ୱାସିମ ଏବଂ ଶାହିନ ଶାହା ଆଫ୍ରିଦି ସାମିଲ ହୋଇଥିଲେ। ଦିନିକିଆ ବିଶ୍ୱକପ ୨୦୨୩ ପରେ ଶାହିନ ଆଫ୍ରିଦିଙ୍କୁ ମଧ୍ୟ ପାକିସ୍ତାନର ଟି -୨୦ ଦଳର ଅଧିନାୟକ କରାଯାଇଛି।
ଏହା ବ୍ୟତୀତ ବ୍ୟାଟ୍ସମ୍ୟାନ ଗ୍ଲେନ ମ୍ୟାକ୍ସୱେଲ ଏବଂ ଦ୍ରୁତ ବୋଲର ଜେସନ ବେହେରେଣ୍ଡର୍ଫ ଦୁଇ ଅଷ୍ଟ୍ରେଲୀୟ ଖେଳାଳିଙ୍କ ମଧ୍ୟରେ ସାମିଲ ଥିଲେ। ଦଳରେ ଆଫଗାନିସ୍ତାନର ରସିଦ ଖାନ ଏବଂ ୱେଷ୍ଟଇଣ୍ଡିଜର ନିକୋଲାସ ପୁରାନଙ୍କ ସ୍ଥାନ ଦିଆଯାଇଥିଲା। ଚଳିତ ବର୍ଷ ରୋହିତ ଶର୍ମା ଏବଂ ବିରାଟ କୋହଲି କୌଣସି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳି ନାହାଁନ୍ତି।

Share