ମେଳି କରି ସିଦ୍ଧାନ୍ତଙ୍କୁ ଟାର୍ଗେଟ କଲେ ଅସନ୍ତୁଷ୍ଟ ଭାଜପା ନେତା: ‘ଷଡ଼ଯନ୍ତ୍ର ସଫଳ ହେବନି’ କହି ଜବାବ ଦେଲେ ବିଧାୟକ

ଦିଗପହଣ୍ଡି,୧୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଭାଜପାରେ ଅନ୍ତର୍ଦ୍ଦ୍ୱନ୍ଦ ଏବେ ବିସ୍ଫୋରକ ସ୍ଥିତିରେ ପହଞ୍ଚିଛି। ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି, ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଭାଜପା ନେତୃମଣ୍ଡଳୀ ଓ କର୍ମୀଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳ ସେତିକି ତୀବ୍ର ହେବାରେ ଲାଗିଛି। ବହୁସଂଖ୍ୟକ ଦଳୀୟ ନେତା ଦିଗପହଣ୍ଡି ବିଧାୟକ ଡ଼. ସିଦ୍ଧାନ୍ତ ମହାପାତ୍ରଙ୍କ କାର୍ଯ୍ୟକଳାପ ବିରୋଧରେ ମେଳି ବାନ୍ଧିଥିବା ବେଳେ ଦିଗପହଣ୍ଡି ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ଜିଲା ପରିଷଦ ବିପିନ ଚନ୍ଦ୍ର ପ୍ରଧାନ ବିଧାୟକଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି।

ବୁଧବାର ଦିଗପହଣ୍ଡି ନିର୍ବାଚନମଣ୍ଡଳୀ କୁକୁଡ଼ାଖଣ୍ଡି ବ୍ଲକ୍ ଅଧୀନ ଅଧିଷ୍ଠାତ୍ରୀ ଦେବୀ ମା’ ମହୁରୀ କାଳୁଆ ଶକ୍ତିପୀଠରେ ବିଧାୟକଙ୍କ ବିରୋଧୀ ଭାବେ ଜଣାଶୁଣା ଭାଜପା ନେତୃମଣ୍ଡଳୀ ଏକତ୍ରିତ ହୋଇ ଶକ୍ତି ପ୍ରଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପାଳନ ଅବସରରେ ବିପିନଙ୍କ ନେତୃତ୍ୱରେ ଆୟୋଜିତ ବୃକ୍ଷଚାରା ରୋପଣ କାର୍ଯ୍ୟକ୍ରମ ଓ ସାଙ୍ଗଠନିକ ସଭାରେ ବିଧାୟକଙ୍କ ବିରୋଧରେ ଉପେକ୍ଷିତ ବହୁ ସଂଖ୍ୟକ ଦଳୀୟ ନେତୃବୃନ୍ଦ ଗର୍ଜନ କରିଥିଲେ। ବିଧାୟକଙ୍କ ଦଳବିରୋଧୀ କାର୍ଯ୍ୟକଳାପ ଓ ଦଳୀୟ ନେତୃବୃନ୍ଦଙ୍କୁ ଉପେକ୍ଷା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସଭାରେ ସଂକଳ୍ପ ପାରିତ କରାଯାଇଥିଲା।

ତେବେ ସଭାରେ ଉପସ୍ଥିତ ଭାଜପା ଜିଲା ସଭାପତି ସରୋଜ ସାବତ ବିଧାୟକଙ୍କ ସପକ୍ଷରେ ଦେଇଥିବା ମନ୍ତବ୍ୟକୁ ନେଇ ସଭାରେ ଉପସ୍ଥିତ ବହୁ ସଂଖ୍ୟକ ଆଗଧାଡ଼ିର କର୍ମୀ ଉତ୍ତେଜିତ ହେବା ସହ ହୋହଲ୍ଲା କରିଥିଲେ। ପରେ ବିପିନ ଏବଂ ଅନ୍ୟ କିଛି ଦଳୀୟ ନେତା ଏଥିରେ ହସ୍ତକ୍ଷେପ କରି ସେମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏହି ସଭାରେ ଦିଗପହଣ୍ଡି ଓ କୁକୁଡ଼ାଖଣ୍ଡି ବ୍ଲକ୍ ସମେତ ଦିଗପହଣ୍ଡି ସହରର ପ୍ରାୟ ୨ ହଜାରରୁ ଉର୍ଦ୍ଧ୍ୱ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ବିଭିନ୍ନ ପଞ୍ଚାୟତରୁ ଆସିଥିବା ଦଳୀୟ ନେତୃବୃନ୍ଦ ସେମାନଙ୍କ ସମସ୍ୟା ସମ୍ପର୍କରେ ଉଦବୋଧନ ଦେଇଥିଲେ। ବିଧାୟକ କିପରି ଗତ ବିଧାନସଭା ନିର୍ବାଚନରେ ତାଙ୍କୁ ବିରୋଧ କରୁଥିବା ପ୍ରତିପକ୍ଷ ରାଜନୈତିକ ଦଳର ନେତାମାନଙ୍କୁ ସାଙ୍ଗରେ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି ଏବଂ ଗାଁ ଗାଁରେ ଭାଜପାର ସଂଗଠନକୁ ଭାଙ୍ଗି ‘ସିଦ୍ଧାନ୍ତ ଲିଗାସି’ ନାମରେ ସମାନ୍ତରାଳ ସଂଗଠନ ତିଆରି କରୁଛନ୍ତି, ସେ ନେଇ ସଭାରେ ଗୁରୁତର ଅଭିଯୋଗ ହୋଇଥିଲା। ଏହାସହ ବିଧାୟକଙ୍କ ପ୍ରତିନିଧି ବୋଲି ପରିଚୟ ଦେଇ ଜଣେ ବ୍ୟକ୍ତି ବିଭିନ୍ନ ଅଧିକାରୀଙ୍କ ଠାରୁ ଅର୍ଥ ଆଦାୟ କରୁଥିବା ଏବଂ ବିଭିନ୍ନ ଯୋଜନାର ଠିକା କାର୍ଯ୍ୟ ବିଜେଡିର କେତେକ ବ୍ୟକ୍ତିଙ୍କୁ ଦିଆଯାଉଥିବା ନେଇ ମତପ୍ରକାଶ ପାଇଥିଲା। ଏହି ଆଧାରରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବିଧାୟକଙ୍କ ପ୍ରତ୍ୟେକ କାର୍ଯ୍ୟକ୍ରମକୁ ବିରୋଧ କରାଯିବ ବୋଲି ଘୋଷଣା କରାଯାଇଛି।

ଏହି ସଭାରେ ମହନ୍ତ ଚିନ୍ମୟାନନ୍ଦ ମହାରାଜ, ଜିଲା କାର୍ଯ୍ୟକର୍ତ୍ତା ସିଦ୍ଧାନ୍ତ ଗଙ୍ଗଦେବ, ଶ୍ରୀକାନ୍ତ ପାଢ଼ୀ, ପରେଶ ଚନ୍ଦ୍ର ରଥ, ବମୋକେଇ ପଞ୍ଚାୟତ ସରପଞ୍ଚ ତପନ ପ୍ରଧାନ, ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ପୂର୍ବତନ ସରପଞ୍ଚ ସଂଗ୍ରାମ ସିଂ, ଭଗବାନ ବାଡ଼ତ୍ୟା, କୃଷ୍ଣଚନ୍ଦ୍ର ସାହୁ, ବ୍ରହ୍ମପୁର ଏମ୍.ପି. ପ୍ରତିନିଧି କେ. ହରିବନ୍ଧୁ ରେଡ୍ଡୀ, ଭବାନୀ ଶଙ୍କର ପଣ୍ଡା, ଆଇନଜୀବୀ ସିମାଞ୍ଚଳ ପ୍ରଧାନ, ଜିଲ୍ଲା ଯୁବମୋର୍ଚ୍ଛା ଉପସଭାପତି କିଶୋର କୁମାର ସାହୁ, ବାବୁଲା ପାତ୍ର, ଦୀପକ ମହାପାତ୍ର, ଶୁଭେନ୍ଦୁ ପାଢ଼ୀ, ସାରଥୀ ଗୌଡ଼, ଜତିନ୍ଦ୍ର ପାତ୍ର, ରମେଶ ଚନ୍ଦ୍ର ପାଢ଼ୀ, ଏ. ବାବୁଲା ପାତ୍ର, ଲଳିତ ବିଷୋୟୀ, ଶୁଭ୍ରାଂଶୁ ପ୍ରଧାନ, ସିମାଞ୍ଚଳ ସାସମଲ, ସନ୍ନ୍ୟାସୀ ପ୍ରଧାନ, ଏ. ନନ୍ଦକିଶୋର, ପଙ୍କଜ ସାହୁ ଓ ମନୋଜ କୁମାର ସାହୁଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ଅପରପକ୍ଷରେ, ଏହି ଅଭିଯୋଗ ନେଇ ବିଧାୟକ ଡ଼. ସିଦ୍ଧାନ୍ତ ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ କିଛି ନେତୃବୃନ୍ଦ ଚଳାଉଥିବା ଗତାନୁଗତିକ ଅଗଣତାନ୍ତ୍ରିକ ଧାରାକୁ ଭାଙ୍ଗି ସେ ସିଧାସଳଖ ଲୋକଙ୍କ ସହ ଯୋଡ଼ି ହେଉଥିବାରୁ ହାତଗଣତି କିଛି ବ୍ୟକ୍ତି ତାଙ୍କୁ ବିରୋଧ କରୁଛନ୍ତି। ପୂର୍ବରୁ କିଛି ବ୍ୟକ୍ତି ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟକୁ ନିଜର ଖାସମାହାଲ କରି ପରିଚାଳନା କରୁଥିଲେ, କିନ୍ତୁ ସେ ବିଧାୟକ ହେବା ପରେ ସେହି ଅଜବ ପରମ୍ପରାକୁ ବିଲୋପ କରିଦେଇଥିବାରୁ ତାଙ୍କ ବିରୋଧରେ ଲୋକଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରାଯାଉଛି। ସେ ସେମାନଙ୍କୁ ଏବେ ବି ସମ୍ମାନ ଦିଅନ୍ତି, କିନ୍ତୁ ସେମାନଙ୍କ ଷଡ଼ଯନ୍ତ୍ର କେବେ ବି ସଫଳ ହେବ ନାହିଁ ବୋଲି ବିଧାୟକ ସ୍ପଷ୍ଟ କରିଛନ୍ତି।

Dharitri – Odisha’s No.1 Odia Daily

Share