ରଣବୀରଙ୍କ ଭଉଣୀ ରିଦ୍ଧିମାଙ୍କ ଅଭିନୟରେ ଡେବ୍ୟୁ, ଟ୍ରେଲର ରିଲିଜ ପରେ ବଢ଼ିଲା ଚର୍ଚ୍ଚା

ମୁମ୍ବାଇ: ଅଭିନୟ ଜଗତରେ ପାଦ ଥାପିଛନ୍ତି ରଣବୀର କପୁରଙ୍କ ଭଉଣୀ ରିଦ୍ଧିମା କପୁର। ତାଙ୍କର ପ୍ରଥମ ଫିଲ୍ମ ‘ଦାଦି କି ଶାଦୀ’ର ଟ୍ରେଲର ଆଜି ରିଲିଜ ହୋଇଯାଇଛି। ଏହା ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ରହିଛି। ଫିଲ୍ମ ମାଧ୍ୟମରେ ରିଦ୍ଧିମା ବଡ଼ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଫ୍ୟାମିଲି ଏଣ୍ଟରଟେନର ଫିଲ୍ମରେ ତାଙ୍କ ସହ ମା’ ନୀତୁ କପୁର ଏବଂ କମେଡି କିଙ୍ଗ କପିଲ ଶର୍ମା ମୁଖ୍ୟ ଭୂମିକାରେ ନଜର ଆସିବେ।

ଆଶିଷ ଆର୍‌. ମୋହନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ କପିଲ ଶର୍ମା ’ଟୋନି’ ନାମକ ଏକ ଚରିତ୍ରରେ ଅଭିନୟ କରୁଛନ୍ତି। ଟ୍ରେଲରରୁ ଜଣାପଡ଼ୁଛି ଯେ, ଟୋନି ଏବଂ ସାଦିଆ ଖତିବଙ୍କ ବିବାହ ସ୍ଥିର ହୋଇଛି। କିନ୍ତୁ ଏହି ସମୟରେ ଏକ ବଡ଼ ଟୁଇଷ୍ଟ ଆସୁଛି। ସାଦିଆଙ୍କ ମା’ (ନୀତୁ କପୁର) ପୁଣିଥରେ ବିବାହ କରିବାକୁ ନିଷ୍ପତ୍ତି ନେଉଛନ୍ତି। ଟୋନିଙ୍କ ଜେଜେବାପା ସର୍ତ୍ତ ରଖୁଛନ୍ତି ଯେ ଯଦି ସାଦିଆଙ୍କ ମା’ ବିବାହ କରନ୍ତି, ତେବେ ଟୋନିଙ୍କ ବିବାହ ହୋଇପାରିବ ନାହିଁ। ଏହାପରେ କପିଲ କିଭଳି ଭାବରେ ଏହି ସମସ୍ୟାର ସମାଧାନ କରୁଛନ୍ତି, ତାହାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ।

ଫିଲ୍ମରେ ନୀତୁ ଏକ ନିଭୀକ ଏବଂ ମଡର୍ଣ୍ଣ ’ଦାଦି’ ଭୂମିକାରେ ଅଛନ୍ତି, ଯିଏ ନିଜ ଜୀବନ ନିଜ ଢଙ୍ଗରେ ବଞ୍ଚିବାକୁ ଚାହାଁନ୍ତି। ଅନ୍ୟପଟେ ରିଦ୍ଧିମା, ନୀତୁଙ୍କ ଝିଅ ଭୂମିକାରେ ଅଭିନୟ କରୁଛନ୍ତି। ଟ୍ରେଲର ଦେଖିଲେ ମନେହୁଏ ଯେ ଏହି ମା’-ଝିଅ ଯୋଡ଼ି ପରଦାରେ ମଧ୍ୟ ନିଜର ଜାଦୁ ଦେଖାଇବେ। ନିର୍ମାତାଙ୍କ ସୂଚନା ଅନୁଯାୟୀ, ୮ ମଇ ୨୦୨୬ରେ ଏହି ଫିଲ୍ମ ସିନେମାଘରକୁ ଆସିବ।

Dharitri – Odisha’s No.1 Odia Daily

Share