ଦଳର ପ୍ରଦର୍ଶନ ଦେଖି ୩-୪ ଟିଭି ରିମୋଟ ଭାଙ୍ଗିଦେଲେ କୋଚ

ମୁମ୍ବାଇ,୨୭।୪: ଆଇପିଏଲ ୨୦୨୨ରେ ଦିଲ୍ଲୀର ପ୍ରଦର୍ଶନ କିଛି ବିଶେଷ ହୋଇନାହିଁ। ୭ଟି ମ୍ୟାଚ୍‌ରେ ଚାରିଟି ପରାଜୟ ଏବଂ ତିନୋଟି ବିଜୟ ସହିତ ଦଳ ପଏଣ୍ଟ ଟେବୁଲରେ ସପ୍ତମ ସ୍ଥାନରେ ରହିଛି। ଦଳକୁ ବିଜୟ ଟ୍ରାକ୍‌କୁ ଫେରିବା ପାଇଁ ତାଙ୍କ ଦଳକୁ କେବଳ ଲୟ ଆବଶ୍ୟକ ବୋଲି କାଚ ରିକି ପଣ୍ଟିଙ୍ଗ ବିଶ୍ୱାସ କରନ୍ତି। କ୍ୱାରାଣ୍ଟାଇନରୁ ବାହାରିବା ପରେ ପଣ୍ଟିଂ ଦଳର ପ୍ରଦର୍ଶନ ନେଇ ଆଲୋଚନା କରିଛନ୍ତି। ଆଇସୋଲେସନରେ ରାଜସ୍ଥାନ ବିପକ୍ଷ ମ୍ୟାଚ ଦେଖିବାବେଳେ ‘ନୋ ବଲ୍‌’ ଘଟଣା ବେଳେ ପଣ୍ଟିଂ ତିନିରୁ ଚାରି ଟିଭି ରିମୋଟ ଭାଙ୍ଗିବା ସହ ପାଣି ବୋତଲ ମଧ୍ୟ କାନ୍ଥରେ ଫୋପାଡି ଦେଇଥିଲେ। ଦଳର କୋଚ ହେବା ସମୟରେ ବେଳେବେଳେ ମନରେ କ୍ରୋଧ ଆସେ ବୋଲି ସେ କହିଛନ୍ତି।
ପଣ୍ଟିଂ ଏହା ମଧ୍ୟ କହିଛନ୍ତି, ତାଙ୍କ ଦଳ ଗୋଟିଏ ମ୍ୟାଚରେ ୩୬ ରୁ ୩୭ ଓଭର ଭଲ ଖେଳନ୍ତି, କିନ୍ତୁ ତିନିରୁ ଚାରି ଓଭରରେ ପୂରା ମ୍ୟାଚ ହାରିଯାଆନ୍ତି। ଏହି କାରଣରୁ ତାଙ୍କ ଦଳ କ୍ରମାଗତ ଭଲ ପ୍ରଦର୍ଶନ କରିବାରେ ସକ୍ଷମ ହୋଇନାହିଁ। ମୁଁ ଜାଣେ ଆମେ ବିଜୟ ଟ୍ରାକକୁ ଫେରିବୁ। ଆମକୁ ନିଜ ଉପରେ ବିଶ୍ୱାସ ରଖିବାକୁ ପଡିବ। ଆମକୁ ସକାରାତ୍ମକ ରହିବାକୁ ପଡିବ।
ସୂଚନାଯୋଗ୍ୟ,ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ର ଶେଷ ଓଭର୍‌ରେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ଶେଷ ଓଭର୍‌ରେ ଦିଲ୍ଲୀକୁ ଜିତିବା ପାଇଁ ୩୬ ରନ୍‌ର ଆବଶ୍ୟକତା ଥିଲା। ବ୍ୟାଟିଂ କରୁଥିବା ରୋଭମନ ପାୱେଲ ଶେଷ ଓଭର୍‌ର ପ୍ରଥମ ୩ଟି ବଲରରେ ୩ଟି ଛକା ମାରିଥିଲେ। ହେଲେ ଓଭରର ୩ୟ ବଲକୁ ନେଇ ନେଇ ବିବାଦ ସୃଷ୍ଟି ହୋଇଥିଲା। ରାଜସ୍ଥାନ ବୋଲର ଓବେଡ ମ୍ୟାକକୋୟଙ୍କ ଗୋଟିଏ ଫୁଲଟସ୍‌କୁ ପାୱେଲ ଛକା ମାରି ଦେଇଥିଲେ।
ହେଲେ ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳି ଓ ସର୍ପୋଟ ଷ୍ଟାଫ ଏହାକୁ ନୋ-ବଲ ଭାବି ଅମ୍ପାୟରଙ୍କ ଆଡେ ସଙ୍କେତ ଦେଇଥିଲେ। ବଲ୍‌ଟି ମଧ୍ୟ ସ୍ପଷ୍ଟ ଭାବେ ଅଣ୍ଟା ଉପରେ ରହିଥିଲା। କିନ୍ତୁ ଅମ୍ପାୟାର ଏହାକୁ ନୋ-ବଲ ଡାକି ନ ଥିଲେ। ଏହାକୁ ନେଇ ପନ୍ତ ଛିଡା ହୋଇଯିବା ସହ ରିଜର୍ଭ ଅମ୍ପାୟାରଙ୍କ ସହ ଯୁକ୍ତି କରିଥିଲେ। ସେ ଫିଲ୍ଡ ଅମ୍ପାୟାର ନୀତିନ ମେନନ ଓ ନିଖିଲ ପଟୱର୍ଦ୍ଧନଙ୍କୁ ନୋ-ବଲ ସଙ୍କେତ ଦେବାକୁ କହିଥିଲେ।
ଅମ୍ପାୟାର ତାଙ୍କ କଥା ନ ଶୁଣିବାରୁ ସେ ପଡିଆରେ ଥିବା ଦୁଇ ବ୍ୟାଟର ପାୱେଲ ଓ କୁଲଦୀପ ଯାଦବଙ୍କୁ ପ୍ୟାଭିଲିୟନ ଫେରି ଆସିବାକୁ କହିଥିଲେ। ଏତିକି ବେଳେ ଦିଲ୍ଲୀର ଆସିଷ୍ଟାଣ୍ଟ କୋଚ ପ୍ରବୀଣ ଆମ୍ରେ ପଡିଆ ଭିତରକୁ ଯାଇ ଅମ୍ପାୟାରଙ୍କ ସହ କଥା ମଧ୍ୟ ହୋଇଥିଲେ। ଥାର୍ଡ ଅମ୍ପାୟାରଙ୍କ ପରାମର୍ଶ ମଧ୍ୟ ନେବାକୁ କହିଥିଲେ। କିନ୍ତୁ ଫିଲ୍ଡ ଅମ୍ପାୟାର ନିଜ ଜିଦରେ ଅଟଳ ରହିଥିଲେ।

Share