ଆମେରିକାର କୂଟନୈତିକ ପଦ ପାଇଁ ରିଚାର୍ଡ ବର୍ମା ମନୋନୀତ

ଓ୍ବାଶିଂଟନ,୨୪ା୧୨: ଆମେରିକାର ବରିଷ୍ଠ କୂଟନୈତିକ ପଦ ପାଇଁ ଭାରତୀୟ-ଆମେରିକୀୟ ଓକିଲ ରିଚାର୍ଡ ବର୍ମାଙ୍କୁ ମନୋନୀତ କରାଯାଇଛି। ଆମେରିକାରେ ରହୁଥିବା ଭାରତୀୟମାନେ ଏହି ନିଷ୍ପତ୍ତିକୁ ସ୍ବାଗତ କରିବା ସହ ଖୁସି ବ୍ୟକ୍ତ କରିଛନ୍ତି। ରିଚାର୍ଡ ଭାରତରେ ମଧ୍ୟ ଆମେରିକାର ରାଷ୍ଟ୍ରଦୂତ ହୋଇଛନ୍ତି।

ହ୍ବାଇଟ୍‌ ହାଉସରୁ ମିଳିଥିବା ସୂଚନାନୁଯାୟୀ, ରାଷ୍ଟ୍ରପତି ଜୋ ବାଇଡେନ ବର୍ମାଙ୍କୁ ପ୍ରବନ୍ଧନ ଏବଂ ସଂସାଧନ ରାଜ୍ୟ ପାଇଁ ଉପସଚିବ ଭାବରେ ମନୋନୀତ କରିଛନ୍ତି। ଯଦି ଆମେରିକାର ସିନେଟ ଦ୍ୱାରା ଏହି ନିଷ୍ପତ୍ତି ନିଶ୍ଚିତ ହୁଏ, ତେବେ ୫୪ ବର୍ଷୀୟ ବର୍ମା ସ୍ବରାଷ୍ଟ୍ର ବିଭାଗର ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ ଭାରତୀୟ-ଆମେରିକୀୟ ହେବେ।

ରିଚାର୍ଡ ବର୍ତ୍ତମାନ ମାଷ୍ଟରକାର୍ଡରେ ମୁଖ୍ୟ ଆଇନ ଅଧିକାରୀ ତଥା ଗ୍ଲୋବାଲ ପବ୍ଲିକ ପଲିସିର ମୁଖ୍ୟ ଭାବରେ କାର୍ଯ୍ୟ କରୁଛନ୍ତି। ଏଥିସହ ସେ ୧୬ ଜାନୁୟାରୀ ୨୦୧୫ରୁ ୨୦ ଜାନୁୟାରୀ ୨୦୧୭ ପର୍ଯ୍ୟନ୍ତ ଭାରତରେ ଆମେରିକାର ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରିଛନ୍ତି। ଏହି ନାମାଙ୍କନ ପରେ ଆମେରିକାର ଅଗ୍ରଣୀ ବିଦେଶୀ ସଂଗଠନ ‘ଇଣ୍ଡିଆସ୍ପୋରା’ ଏକ ବିବୃତ୍ତିରେ କହିଛନ୍ତି, ବୈଦେଶିକ ବିଭାଗର ଏହି ସୁନ୍ଦର ବରିଷ୍ଠ ପଦ ପାଇଁ ବର୍ମାଙ୍କୁ ଚୟନ କରିବା ରାଷ୍ଟ୍ରପତି ବାଇଡେନ ଏବଂ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କନଙ୍କ ଏହି ବିକଳ୍ପ ବହୁତ ପ୍ରେରଣାଦାୟୀ।

Share