ମଣ୍ଡିରେ ଭିଜୁଛି ଧାନ

କୋକସରା,୫।୧୨(ଡି.ଏନ.ଏ.): ବାତ୍ୟା ‘ଜଓ୍ବାଦ’ ପ୍ରଭାବରେ କଳାହାଣ୍ଡି ଜିଲାରେ ଶନିବାରଠାରୁ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ହେଉଛି। ଫଳରେ ଖୋଲା ମଣ୍ଡିରେ ପଡିଥିବା ଶହ ଶହ କୁଇଣ୍ଟାଲ ଧାନ ଭିଜୁଥିବା ଦେଖିବାକୁ ମିଳୁଛି।

କୋକସରା ବ୍ଲକ ଆମପାଣି ପ୍ୟାକ୍ସ ଅଧୀନରେ ଥିବା କାଉଡୋଳା ଉପମଣ୍ଡି ଖୋଲା ଆକାଶ ତଳେ ଥିବା ଧାନ ବର୍ଷାରେ ଭିଜୁଛି। ଚାଷୀ ଧାନକୁ ସୁରକ୍ଷିତ ରଖିବା ପାଇଁ ପାଲ ଓ ତାରପୋଲିଂ ଢାଙ୍କି ରଖିଛନ୍ତି। ତଥାପି ବର୍ଷା ଯୋଗୁ ଧାନ ଗଦା ନିକଟରେ ପାଣି ଜମି ରହୁଛି। ଫଳରେ ଧାନ ଗଜା ହେବା ନେଇ ଚାଷୀ ଆଶଙ୍କା ପ୍ରକାଶ କରିଛନ୍ତି।

କାଉଡୋଳା ଉପମଣ୍ଡିରେ କାଉଡୋଳା, ବଡ଼କେନ୍ଦୁଗୁଡା, କୁସୁମଖୁଣ୍ଟି, ମହାଜନଗୁଡା, ବାଞ୍ଜିବାହାଲ, କୁମୁଡାମୁଣ୍ଡା ଗ୍ରାମର ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜୀକରଣ କରିଛନ୍ତି। ଚାଷୀମାନେ ଧାନ ରଖିବା ପାଇଁ ସେଡ଼ ଓ ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ ଦାବି କରି ଆସୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆନୁସଙ୍ଗିକ ବ୍ୟବସ୍ଥା ହୋଇନାହିଁ। ମୁଖୀଗୁଡା ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଧାନକୁ ଘୋଡାଇବା ପାଇଁ କିଛି ତାରପୋଲିଂ ଚାଷୀଙ୍କୁ ଦିଆଯାଇଛି। ଏ ନେଇ କାଉଡୋଳା ମଣ୍ଡି ପ୍ୟାକ୍ସ ସମ୍ପାଦକ ବିକାଶ ପଣ୍ଡାଙ୍କୁ ପଚାରିବାରୁ ଟୋକନ ପାଇଥିବା ସମସ୍ତ ଚାଷୀଙ୍କୁ ପଲିଥିନ ଯୋଗାଇ ଦିଆଯାଇଛି ବୋଲି କହିଛନ୍ତି।