ମିଲ୍‌ରୁ ଉଠିନି ଚାଉଳ, ଆଶଙ୍କାରେ ଧାନ ଉଠାଣ: ମୁଣ୍ଡ ଟେକିଛି ଆଉ ଏକ ସମସ୍ୟା

ବରଗଡ଼,୨୫।୧୧(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଧାନବିକ୍ରି ସମସ୍ୟା ସାଧାରଣରେ ପରିଣତ ହୋଇଛି। କେତେବେଳେ ଅଭାବି ବିକ୍ରି ତ ଆଉକେବେ ଧାନବିକ୍ରିରେ ଟୋକନ୍‌ ସମସ୍ୟା ବାଧକ ସାଜିଛି। ତେବେ ଏଥର ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟାରେ ଆଉ ଏକ ପ୍ରମୁଖ ସମସ୍ୟା ମୁଣ୍ଡ ଟେକିଛି। ଜିଲାରେ ରହିଥିବା ବିଭିନ୍ନ ରାଇସ୍‌ ମିଲ୍‌ଗୁଡ଼ିକରୁ ଏପର୍ଯ୍ୟନ୍ତ ଭାରତୀୟ ଖାଦ୍ୟ ନିଗମ(ଏଫ୍‌ସିଆଇ) ଚାଉଳ ଠିକ୍‌ଭାବେ ଉଠାଇ ନାହିଁ। ଫଳରେ ରାଇସ୍‌ ମିଲ୍‌ର ଗୋଦାମ ଗୃହଗୁଡ଼ିକ ଚାଉଳରେ ଭର୍ତ୍ତି ହୋଇଛି। ଏଭଳି ସ୍ଥିତିରେ ଆସନ୍ତା ଧାନ ସଂଗ୍ରହ ପ୍ରକ୍ରିୟାରେ ମିଲର୍ସମାନେ ମଣ୍ଡିରୁ ଧାନ ଉଠାଣ ନେଇ ଏବେଠାରୁ ଆଶଙ୍କା ପ୍ରକାଶ ପାଇଛି।
ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଜୋରସୋର୍‌ରେ ଚାଲିଛି। ଚଳିତମାସ ଆରମ୍ଭରୁ ଚାଷୀମାନେ ଧାନ ଅମଳ କାର୍ଯ୍ୟ ଆରମ୍ଭ କରିଛନ୍ତି। ମଝିରେ ବାତ୍ୟା ପ୍ରଭାବରେ ଅମଳ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଏହାସତ୍ତ୍ୱେ ଅମଳ କାର୍ଯ୍ୟ ଜୋର୍‌ ଧରିଥିବା ଯୋଗୁ ଧାନ ସଂଗ୍ରହ ପ୍ରକ୍ରିୟା ଆସନ୍ତା ୨୫ ତାରିଖ ସୁଦ୍ଧା ଆରମ୍ଭ କରିବା ପାଇଁ ଜିଲାର ବିଭିନ୍ନ ଚାଷୀ ସଙ୍ଗଠନ ଦାବି କରି ଆସୁଥିଲେ। କିନ୍ତୁ ପ୍ରଶାସନ ସେହି ଦାବିକୁ ଅଣଦେଖା କରିଥିବା ଅଭିଯୋଗ ହୋଇଛି। ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଆସନ୍ତା ୩୦ ତାରିଖରୁ ଏକକାଳୀନ ଜିଲାର ଅତାବିରା, ବରଗଡ଼ ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି(ଆର୍‌ଏମ୍‌ସି) ଅଧୀନରେ ୨୪୦ ମଣ୍ଡି ଖୋଲିବାକୁ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଗତ ରବିବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଏହି ସୂଚନା ଦିଆଯାଇଛି।
ପୂର୍ବବର୍ଷଗୁଡ଼ିକ ଅପେକ୍ଷା ଏଥର ଧାନ ସଂଗ୍ରହ ପ୍ରକ୍ରିୟା ବିଳମ୍ବିତ ହୋଇଛି। ମଣ୍ଡି ଖୋଲି ନ ଥିବା ଯୋଗୁ ଜିଲାର ଚାଷୀମାନେ ସେମାନଙ୍କ ଅମଳ ଧାନକୁ ସରକାରୀ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କାରେ ବିକ୍ରି କରି ପାରିନାହାନ୍ତି। କ୍ଷେତ, ଖଳା ଏବଂ ରାସ୍ତାଘାଟରେ ଚାଷୀଙ୍କ ଅମଳ ଧାନ ପଡ଼ି ରହିଛି। ବର୍ଷାରେ ତାହା ପ୍ରଭାବିତ ହୋଇଥିବାବେଳେ କେତେଜଣ ଚାଷୀ କମ୍‌ଦାମ୍‌ରେ ଧାନବିକ୍ରି କରିବାକୁ ବାଧ୍ୟ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ ଜିଲାରେ ମଣ୍ଡି ଖୋଲିବାକୁ ଆହୁରି ୬ଦିନ ବାକି ରହିଛି। କିନ୍ତୁ ଧାନମଣ୍ଡି ଖୋଲିଲେ ମଧ୍ୟ ଆସନ୍ତା ୩୦ ତାରିଖରୁ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ସ୍ବାଭାବିକ ହେବ କି ନାହିଁ, ସେ ନେଇ ଏବେଠାରୁ ଆଶଙ୍କା ପ୍ରକାଶ ପାଇଛି। ରାଜ୍ୟ ଯୋଗାଣ ନିଗମ ତଥା ଭାରତୀୟ ଖାଦ୍ୟ ନିଗମ ରାଇସ୍‌ ମିଲ୍‌ଗୁଡ଼ିକରୁ ବିଗତବର୍ଷଗୁଡ଼ିକର ଚାଉଳ ଉଠାଣରେ ଶିଥିଳତା ଏଥିରେ ବାଧକ ସାଜିବ ବୋଲି ଏବେଠାରୁ ଜଳଜଳ ହୋଇ ଦିଶୁଛି।
ମଣ୍ଡିରେ ସଂଗୃହୀତ ଧାନକୁ କଷ୍ଟମ ମିଲିଂ ଆଧାରରେ ଯୋଗାଣ ନିଗମ ରାଇସ୍‌ ମିଲ୍‌ଗୁଡ଼ିକୁ ଦେଇଥାଏ ଏବଂ ସମ୍ପୃକ୍ତ ମିଲର୍ସଙ୍କଠାରୁ ଚାଉଳ ଉଠାଇଥାଏ। ଏହି କ୍ରମରେ ଜିଲାର ପ୍ରାୟ ୧୨୪ ରାଇସ୍‌ ମିଲ୍‌କୁ ବିଗତବର୍ଷରେ ମଣ୍ଡିରେ ସଂଗୃହୀତ ଧାନ ଦିଆଯାଇଛି। ହେଲେ ଏପର୍ଯ୍ୟନ୍ତ ସେହି ଧାନ ଅନୁପାତରେ ମିଲର୍ସମାନଙ୍କଠାରୁ ଚାଉଳ ସଂଗ୍ରହ କରିବାରେ ଯୋଗାଣ ନିଗମ ବିଫଳ ହୋଇଛି। ଫଳରେ ରାଇସ୍‌ ମିଲ୍‌ଗୁଡ଼ିକରେ ଗୋଦାମଗୁଡ଼ିକ ବିଗତବର୍ଷର ଚାଉଳରେ ଭର୍ତ୍ତି ହୋଇଛି। ଏପରି କି ରାଇସ୍‌ ମିଲ୍‌ରେ ଧାନ ଗଚ୍ଛିତ ରଖିବା ପାଇଁ ଆଉ ଗୋଦାମ ଖାଲି ନାହିଁ, ଫଳରେ ଚାଉଳ ନ ଉଠାଯିବା ପର୍ଯ୍ୟନ୍ତ କଷ୍ଟମ ମିଲିଂ ପାଇଁ ଯୋଗାଣ ନିଗମ ଆଉ ଧାନ ଦେଲେ ମଧ୍ୟ ତାହା ରଖିବା ସମ୍ଭବପର ନୁହେଁ ବୋଲି ମିଲର୍ସମାନେ କହୁଛନ୍ତି। ଗତ ରବିବାର ଅନୁଷ୍ଠିତ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଅଲ୍‌ ଓଡ଼ିଶା ରାଇସ୍‌ ମିଲର୍ସ ଆସୋସିଏଶନର ଉପସଭାପତି ନିତେଶ ବଂଶଲ ଏଭଳି ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ, ଧାନ ସଂଗ୍ରହ ପ୍ରକ୍ରିୟାରେ ସହଯୋଗ କରିବା ପାଇଁ ମିଲର୍ସମାନେ ସବୁବେଳେ ପ୍ରସ୍ତୁତ ଅଛନ୍ତି। କିନ୍ତୁ ଏବେ ଗୋଦାମରେ ଧାନ ରଖିବା ପାଇଁ ଜାଗା ନାହିଁ। ଗତବର୍ଷ ଖରିଫ୍‌ର ଅଧା ଚାଉଳ ଉଠାଯାଉଛି ଏବଂ ଅଧା ବାକି ରହିଛି। ସେହିପରି ରବିର ପୂରା ବାକି ରହିଛି। ଗୋଟିଏ ବର୍ଷର ୭୫ ପ୍ରତିଶତ ଧାନ ଗୋଦାମରେ ଗଚ୍ଛିତ ରହିଛି। ଏଭଳି ସ୍ଥିତିରେ ମିଲର୍ସମାନେ ନୂଆଧାନ କିଭଳି ଉଠାଇବେ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଆହୁରି କହିଥିଲେ, ଯେତେବେଳେ ଚାଉଳ ବୋଝେଇ ଟ୍ରକଗୁଡ଼ିକ ଯୋଗାଣ ନିଗମର ଡିପୋଗୁଡ଼ିକୁ ଯାଉଛି, ସେହି ଟ୍ରକରୁ ତୁରନ୍ତ ଚାଉଳ ଅନ୍‌ଲୋଡ୍‌ କରାଯାଉ ନାହିଁ। ଫଳରେ ସେହି ଟ୍ରକଗୁଡ଼ିକ ଦିନଦିନ ଧରି ସେଠାରେ ପଡ଼ି ରହୁଛି। ଏଭଳି ସ୍ଥିତି ଲାଗି ରହିଲେ ଆଗକୁ ମିଲର୍ସମାନେ ମଣ୍ଡିରୁ ଧାନ ଉଠାଇ ପାରିବେ ନାହିଁ। ଆସନ୍ତା ୨୭ ତାରିଖ ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ାରେ ଅଲ୍‌ ଓଡ଼ିଶା ମିଲର୍ସ ଆସୋସିଏଶନର ଏକ ସମାବେଶ ହେବ ବୋଲି ସେ ସୂଚନା ଦେଇଥିଲେ। ଅନ୍ୟପଟେ ସଂଯୁକ୍ତ କୃଷକ ସଙ୍ଗଠନର ଚାଷୀନେତା ସୁରେଶ ନିକାଣ୍ଟି କହିଛନ୍ତି, ମିଲର୍ସଙ୍କ ସହିତ ଚାଷୀମାନଙ୍କ କିଛି ସମ୍ପର୍କ ନାହିଁ। ଚାଷୀମାନେ ସରକାରଙ୍କଠାରେ ଧାନ ବିକୁଛନ୍ତି। ସରକାର ମିଲର୍ସଙ୍କ ଭରସାରେ ନ ରହୁ କେପ୍‌ ଷ୍ଟୋରେଜ୍‌ କରି ଚାଷୀଙ୍କଠାରୁ ଧାନ କିଣୁ ା ଯଦି ମିଲର୍ସଙ୍କ ଆଳ ଦେଖାଇ ମଣ୍ଡିରୁ ଧାନ ଉଠା ନ ଯାଏ, ତେବେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ନିକାଣ୍ଟି ଚେତାବନୀ ଦେଇଛନ୍ତି।

 

Dharitri – Odisha’s No.1 Odia Daily

 

Share