ଲାଞ୍ଜିଗଡ଼,୨୦ା୧(ରମେଶ ଚନ୍ଦ୍ର ନାୟକ):ବାରମ୍ବାର ଅଭିଯୋଗ ସତ୍ତ୍ୱେ ମିଲର୍ସଙ୍କ ମନମାନି ଯୋଗୁ ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ସମବାୟ ସମିତି ମଣ୍ଡିରୁ ଧାନ ଉଠୁନାହିଁ। ଏହାର ପ୍ରତିବାଦରେ ସୋମବାର ୬ ଗୋଟି ପଞ୍ଚାୟତର ଶତାଧିକ ଚାଷୀ ଲାଞ୍ଜିଗଡ଼-ମୁନିଗୁଡ଼ା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ବର୍ତ୍ତମାନ ଏହି ମଣ୍ଡିରେ ୧ ହଜାର ୬୦୦ କୁଇଣ୍ଟାଲ ଧାନ ପଡିରହିଛି। ସୂଚନା ଅନୁସାରେ ଲାଞ୍ଜିଗଡ ସମବାୟ ସମିତି ଅଧୀନରେ ଥିବା ମଣ୍ଡିରେ ଚଳିତ ବର୍ଷ ଖରିଫ ଋତୁର ଧାନ ବିକିବା ପାଇଁ ୬ ଗୋଟି ପଞ୍ଚାୟତର ଚାଷୀ ପଞ୍ଜୀକୃତ କରିଥିଲେ। ଗତ ୨୦ ଡିସେମ୍ବରରେ ମଣ୍ଡି ଆରମ୍ଭ ହୋଇଥିଲା ବେଳେ ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଟୋକାନ ସମୟସୀମା ରହିଥିବା ୧୫୯ ଜଣ ଚାଷୀଙ୍କଠାରୁ ୬ ହଜାର ୧୧୫ କୁଇଣ୍ଟାଲ ଧାନ କ୍ରୟ କରାଯାଇଥିଲା। ଅବଶିଷ୍ଟ ୨୫୦ ଚାଷୀଙ୍କ ମଧ୍ୟରୁ ୨୨ ଜଣ ଚାଷୀଙ୍କ ୧ ହଜାର ୬୦୦ କୁଇଣ୍ଟାଲ ଧାନ ଏବେ ମଣ୍ଡିରେ ପଡିରହିଛି। ଅଧିକାଂଶ ଚାଷୀଙ୍କ ଟୋକନ ସମୟ ସୀମା ୨ ରୁ ୪ଦିନ ମଧ୍ୟରେ ଶେଷ ହେବାକୁ ଯାଉଛି। ଦୀର୍ଘଦିନ ହେଲା ଶୀତକାକରରେ ମଣ୍ଡିରେ ପଡି ରହିଛନ୍ତି ଚାଷୀ। ଟାର୍ଗେଟ ଥାଇ ମଧ୍ୟ ମିଲର୍ସମାନେ ମଣ୍ଡିରୁ ଧାନ ଉଠାଉ ନାହାନ୍ତି। ଏହାକୁ ନେଇ ଚାଷୀମାନେ ସକାଳୁ ୭ଟାରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଥିବା ବେଳେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଲାଞ୍ଜିଗଡ ପୋଲିସ ଏସ୍ଆଇ ଡୋଳାମଣି ବିଶି ଘଟଣାସ୍ଥଳରେ ପହଞ୍ଚି ସମସ୍ୟାର ସମାଧାନ ପାଇଁ ଚାଷୀ, ଲାଞ୍ଜିଗଡ ସମବାୟ ସମିତି ଓ ମିଲର୍ସଙ୍କ ସହିତ ଆଲୋଚନା କରି ଆସନ୍ତା ୪ ଦିନ ମଧ୍ୟରେ ଧାନ ଉଠାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହାପରେ ଚାଷୀ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ। ପରେ ଉକ୍ତ ରାସ୍ତାରେ ଯାତାୟାତ ସ୍ବାଭାବିକ ହୋଇଥିଲା। ଆସନ୍ତା ୪ ଦିନ ମଧ୍ୟରେ ଧାନ ଉଠା ନ ଗଲେ ପୁଣି ରାଜରାସ୍ତାକୁ ଓଲାଇବେ ବୋଲି ସମ୍ପୃକ୍ତ ଚାଷୀମାନେ ଚେତାବନୀ ଦେଇଛନ୍ତି।
Dharitri – Odisha’s No.1 Odia Daily

