୫୦ଏକର ଜମିରେ ଚାଷ ନଷ୍ଟ

କେସିଙ୍ଗା,୧୩।୮(ତୁମେଶ୍ୱର ସାହୁ)ଓଡ଼ିଶା ଉଠାଜଳସେଚନ କର୍ପୋରେସନ କଳାହାଣ୍ଡି ପକ୍ଷରୁ କେସିଙ୍ଗା ବ୍ଲକର ଭମରମାଲ ଗ୍ରାମରେ ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ଏକ ଉଠାଜଳସେଚନ ପ୍ରକଳ୍ପ କାମ ଚାଲିଛି। ନିର୍ମାଣ କରିବା ପାଇଁ ୨୬ଲକ୍ଷ ୮୦ହଜାର ବ୍ୟୟ ଅଟକଳରେ ଦିବ୍ୟରଞ୍ଜନ ପଣ୍ଡା ନାମକ ଜଣେ ଠିକାଦାରଙ୍କୁ ଦାୟିତ୍ୱ ଦିଆଯାଇଛି। ଆଜକୁ ଦୁଇ ବର୍ଷ ବିତିଗଲାଣି ଚାଷୀଙ୍କୁ ପାଣି ଯୋଗାଇବାରେ ବିଫଳ ହୋଇଛି। ଭମରମାଲ ଗ୍ରାମର ୩୦ଜଣ ଚାଷୀଙ୍କ ୫୦ଏକର ଜମିକୁ ଜଳସେଚିତ କରିବା ପାଇଁ ଦେହେରେନ ଜୋରରେ ଏହି ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି। ଦେହେରେନ ଜୋର ନିକଟରେ ସ୍ଥାପନ କରିଥିବା ଟ୍ରାନ୍ସଫର୍ମରର ଚତୁଃପାର୍ଶ୍ୱ ଠିକ ଭାବେ ବାଉଣ୍ଡାରୀ ୱାଲ ଦିଆଯାଇ ନ ଥିବାରୁ ଗୋରୁଙ୍କ ପ୍ରତି ବିପଦ ରହିଛି। ଉଠାଜଳସେଚନ ପଏଣ୍ଟ ଠାରୁ ଏକ କିମି ଯାଏ ଅତି ନିମ୍ନମାନର ପ୍ଲାଷ୍ଟିକ ପାଇପ ମାଟି ତଳେ ସଂଯୋଗ କରାଯାଇଛି। ପାଇପ ଳାଇନ ମାଟି ତଳେ ପୋତିଲା ବେଳେ ଜେସିପି ମେସିନ ଦ୍ୱାରା ମାଟି ପକାଇ ଦେବାରୁ ଅଧିକାଂଶ ଜାଗାରେ ପାଇପ ଫାଟି ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ପମ୍ପ ହାଉସରେ ବିଦ୍ୟୁତ୍‌ ତାର ଟଣା ଯାଇଛି। କିନ୍ତୁ ବିଦ୍ୟୁତ୍‌ ସଂଯୋଗ କରାଯାଇ ନାହିଁ। ମୋଟର ମଧ୍ୟ ପମ୍ପ ହାଉସରେ ସଂଯୋଗ କରାଯାଇ ନାହିଁ। ଦୀର୍ଘ ୩୦ବର୍ଷର ଭଗ୍ନ ପୁରୁଣା ଚେକ ଡ୍ୟାମରୁ ପାଣି ସଂଯୋଗ କରିବା ପାଇଁ ଏହି ପମ୍ପ ହାଉସ ସ୍ଥାପନ କରାଯାଇଛି। ସ୍ବଳ୍ପବର୍ଷା ଯୋଗୁ ଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚାଷୀଙ୍କ ରୁଆ ଧାନରେ ପାଣି ଅଭାବ ଯୋଗୁ ୫୦ଏକର ଜମି ମଧ୍ୟରୁ ପ୍ରାୟ ୫ଏକର ଜମିର ରୁଆ ଧାନ ମରିବାକୁ ବସିଲାଣି। କେତେକ ଜମିରେ ପାଣିର ଅଭାବ ଯୋଗୁ ଜମି ଫାଟି ଯାଇଛି। ଭମରମାଲ ଗ୍ରାମର ଚାଷୀ ଧରଣୀ ମାଝୀ, ଯୁଗାନ୍ତ ମାଝୀ, ସରୋଜ ମାଝୀ, ଦୋରାନ୍ତ ମାଝୀ, ଦାଶରଥି ମାଝୀ, ବିଜୟ ମାଝୀ, ତେଜରାଜ ମାଝୀ, କାମଦେବ ମାଝୀ, ଦିଗାମ୍ବର ମାଝୀ, କମ୍ଭୁ ପାଣି ମାଝୀ, ଫକୀର ମାଝୀ, ଧନକର ମାଝୀ, ତପନ ମାଝୀଙ୍କ ପ୍ରାୟ ୧୫ଏକର ଜମିରେ ପାଣି ନ ଥିବାରୁ ରୁଆ ଧାନ ମରି ଗଲାଣି। ଧାନ ବିହୁଡା ହୋଇପାରୁ ନାହିଁ। ଏ ନେଇ ଜଳସେଚନ ବିଭାଗ ଯନ୍ତ୍ରୀ ମାଝୀ ବାବୁଙ୍କ ନିକଟରେ ଏକ ବର୍ଷ ହେଲା ଚାଷୀମାନେ ଅଭିଯୋଗ କରି ଆସୁଛନ୍ତି, ହେଲେ କୌଣସି କାର୍ଯ୍ୟକାରୀ ହେଉ ନ ଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ଏ ସଂକ୍ରାନ୍ତରେ ବିଭାଗୀୟ ଯନ୍ତ୍ରୀ ମାଝୀ ବାବୁଙ୍କୁ ପଚାରିବାରୁ ଆଉ ୩/୪ଦିନରେ ମୋଟର ସଂଯୋଗ କରାଯାଇ ପାଣି ଦିଆଯିବ ବୋଲି ପ୍ରକାଶ କରିଥିଲେ।