ନନ୍ଦପୁର,୧୮ା୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ପଞ୍ଚାୟତରେ ଚାଉଳ ଷ୍ଟକ ନ ଥିବା ଦର୍ଶାଇ ପଡିକାର୍ଡ ଧାରୀଙ୍କୁ ମାଗଣା ଚାଉଳ ଓ ମାସିକ ଚାଉଳ ଡିଲର ବଣ୍ଟନ କରୁ ନ ଥିବା ମଙ୍ଗଳବାର ଅଭିଯୋଗ ଆଣିଥିଲେ। ବ୍ଲକ କାର୍ଯ୍ୟାଳୟରେ ୩୦ରୁ ଊର୍ଦ୍ଧ୍ୱ ମହିଳା ପୁରୁଷ ହିତାଧିକାରୀ ପହଞ୍ଚି ମାସାଧିକ କାଳ ହେବ ସେମାନଙ୍କୁ କାର୍ଡ ପିଛା ଦିଆଯାଉଥିବା ମାସିକ ଚାଉଳ ଓ ୪ ମାସର ମାଗଣା ଚାଉଳ କାର୍ଡରେ ଏଣ୍ଟ୍ରି କରିଦିଆଯାଇ ନ ଥିବା ବିଡିଓ ଦୁର୍ଗା ପ୍ରସାଦ ଦୋରା, ବ୍ଲକ ଭାରପ୍ରାପ୍ତ ଯୋଗାଣ ନିରୀକ୍ଷକଙ୍କୁ ଭେଟି ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ଜିଲା ସହକାରୀ ଯୋଗାଣ ଅଧିକାରୀ(ଏସିଏସଓ) ସୌଭାଗ୍ୟ ରଞ୍ଜନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସେ ରାଜ୍ୟ ଯୋଗାଣ ବିଭାଗର ଚାଉଳ ଯୋଗାଣରେ କିଛି ତ୍ରୁଟି ଥିବାରୁ ଗୋଦାମକୁ ଚାଉଳ ଆସିବା ଓ ସେଠାରୁ ବ୍ଲକ ଅଞ୍ଚଳକୁ ମାଗଣା ଚାଉଳ ବଣ୍ଟନ ନିମନ୍ତେ ପଠାଯାଇ ପାରୁ ନ ଥିଲା। ଏହି ତ୍ରୁଟିର ସଂଶୋଧନ ହୋଇଛି ବୋଲି ସୂଚନା ଦେବା ସହ ତୁରନ୍ତ ସୁନାବେଡା ଚାଉଳ ଡିପୋରୁ ନନ୍ଦପୁରକୁ ଚାଉଳ ଗାଡ଼ି ପଠାଇବା ବ୍ୟବସ୍ଥା କରିଥିଲେ। ଡିଲର ଚାଉଳ ବଣ୍ଟନ ଆରମ୍ଭ କରିଥିବା ଲୋକେ ସୂଚନା ଦେଇଛନ୍ତି।

