ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି। ନିୟମିତ ଭାବେ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟକୁ ଆସୁନଥିବାରୁ ବିଭିନ୍ନ ରାଜସ୍ବ ସମ୍ପର୍କିତ କାମ ପାଇଁ ଆସୁଥିବା ସାଧାରଣ ଲୋକେ ନିରାଶ ହୋଇ ଫେରୁଥିବା ଅଭିଯୋଗ କରିଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଜମିଜମା, ରାଜସ୍ବ, ବିଭିନ୍ନ ପ୍ରମାଣପତ୍ର, ଜମି ସମ୍ପର୍କିତ ତଦନ୍ତ ସମେତ ବିଭିନ୍ନ ସରକାରୀ କାର୍ଯ୍ୟ ପାଇଁ ଲୋକେ ଆରଆଇ କାର୍ଯ୍ୟାଳୟ ଉପରେ ନିର୍ଭରଶୀଳ। ହେଲେ ଅଧିକାଂଶ ସମୟରେ ଆରଆଇ ଅନୁପସ୍ଥିତ ରହୁଥିବାରୁ ଲୋକଙ୍କୁ ହଇରାଣ ହେବା ସହ ଖାଲି ହାତରେ ଫେରିବାକୁ ପଡ଼ୁଛି।

ଅନ୍ୟପକ୍ଷରେ ଚଳିତବର୍ଷ ବନ୍ୟା ଯୋଗୁ ସମଣା ପଞ୍ଚାୟତର ଅନେକ ପରିବାର ପ୍ରଭାବିତ ହୋଇଛନ୍ତି। ତେବେ ଏପର୍ଯ୍ୟନ୍ତ ବନ୍ୟା ପ୍ରଭାବିତ ପରିବାରଙ୍କୁ ପଲିଥିନ ବଣ୍ଟନ କରାଯାଇ ନ ଥିବା ଅଭିଯୋଗ ହୋଇଛି। ଏହାସହ ସମଣା ପଞ୍ଚାୟତ ଅଧୀନରେ ଥିବା ୭ଟି ଗାଁରେ ବନ୍ୟାଜନିତ କ୍ଷୟକ୍ଷତିର ଆକଳନ ମଧ୍ୟ ହୋଇ ନ ଥିବାରୁ ସରକାରୀ ସହାୟତା ପାଇବାରେ ବାଧା ସୃଷ୍ଟି ହୋଇଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ପୂର୍ବରୁ ଏଠାରେ କାର୍ଯ୍ୟରତ ଥିବା ରାଜସ୍ବ ନିରୀକ୍ଷକ ନିଜ ଇଚ୍ଛା ଅନୁସାରେ କେତେକ ଲୋକଙ୍କୁ ପଲିଥିନ ବାଣ୍ଟିଥିଲେ। ଏଭଳି ଅନିୟମିତତା ଓ ଅବ୍ୟବସ୍ଥାକୁ ନେଇ ସୋମବାର ସ୍ଥାନୀୟ ଲୋକେ ସମଣା ଆରଆଇ କାର୍ଯ୍ୟାଳୟ ଘେରାଉ କରି ଦୃଢ଼ ପ୍ରତିବାଦ କରିଥିଲେ।

ବନ୍ୟା ପ୍ରଭାବିତ ସମସ୍ତ ଗାଁର କ୍ଷୟକ୍ଷତିର ତୁରନ୍ତ ଆକଳନ କରି ଯୋଗ୍ୟ ପରିବାରଙ୍କୁ ପଲିଥିନ ସହ ଆବଶ୍ୟକ ସରକାରୀ ସହାୟତା ଯୋଗାଇଦେବାକୁ ଲୋକେ ଦାବି କରିଛନ୍ତି। ଏହାସହ ଆରଆଇ କାର୍ଯ୍ୟାଳୟକୁ ନିୟମିତ ଖୋଲିବା ଏବଂ ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ମଧ୍ୟ ଦାବି ହୋଇଛି।

ଏ ସମ୍ପର୍କରେ ହାଟଡିହୀ ତହସିଲଦାର ସଞ୍ଜୟ ସାମନ୍ତରାୟ କହିଛନ୍ତି ଯେ, ସମଣାରେ ନିଯୁକ୍ତ ରାଜସ୍ବ ନିରୀକ୍ଷକ ଅସୁସ୍ଥତା ଯୋଗୁ ଛୁଟିରେ ଥିଲେ। ତାଙ୍କ ଅନୁପସ୍ଥିତିରେ ଅନ୍ୟ ଜଣେ ଆରଆଇଙ୍କୁ ଦାୟିତ୍ୱ ଦିଆଯାଇଥିଲା। ମାତ୍ର ସେ ମଧ୍ୟ ଦୀର୍ଘଦିନ ଧରି ବିନା ଅନୁମତିରେ କାର୍ଯ୍ୟରେ ଯୋଗ ଦେଉନଥିବାରୁ ବଡ଼ରମ୍ପାସ ଆରଆଇଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଅଞ୍ଚଳରେ ରହିଥିବା ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

 

Share